ସ୍ୱଚ୍ଛ ଭାରତ ମିଶନରେ ଟଙ୍କା ହଡ଼ପ ଅଭିଯୋଗ, ଥାନାରେ ଏତଲା

ଉମରକୋଟ: ସ୍ୱଛ ଭାରତ ମିଶନ ନାମରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ମହାଦୁର୍ନୀତି । ଏଭଳି ଅଭିଯୋଗ ଆଣିଛି କଂଗ୍ରେସ। କେବଳ ଝରିଗାଁ ବ୍ଲକରେ ପାଇଖାନା ଯୋଗାଣରେ 5 କୋଟି ରୁ ଅଧିକ ହରିଲୁଟ୍ ହୋଇଥିବା ଜଣାପଡିଛି । ଏହି ଅଭିଯୋଗ ଆସିଛି ଝରିଗାଁ ବିଡିଓ ବାହାଦୁର ସିଂ ଧାରୁଆଙ୍କ ନାମରେ । ଗରିବ ଲୋକଙ୍କ ଲାଟିନ ଟଙ୍କା ହଡ଼ପ ଅଭିଯୋଗରେ ଗତ 25 ତାରିଖ ଦିନ 128 ଜଣ ହିତାଧିକାରୀ ଝରିଗାଁ ଥାନା ରେ ଏତଲା ଦେଇଥିଲେ । ଆଜି ଅର୍ଥାତ ଶୁକ୍ରବାର ପୁଣି ଝରିଗାଁ ଥାନାରେ ବିଡ଼ିଓଙ୍କ ବିରୋଧରେ ବ୍ଲକର ବିଭିନ୍ନ ଗ୍ରାମବାସୀଙ୍କ ତରଫରୁ ଆଉ 131 ଟି ଏତଲା ଦିଆଯାଇଛି ।

ଅପରାହ୍ନରେ ଝରିଗାଁ ତହସିଲ କାର୍ଯ୍ୟାଳୟ ଠାରୁ ଶତାଧିକ ହିତାଧିକାରୀ ଏକ ଶୋଭାଯାତ୍ରାରେ ବାହାରି ଥାନାରେ ପହଞ୍ଚିଥିଲେ । ଥାନାରେ ପହଞ୍ଚିବା ପରେ ବିଡ଼ିଓଙ୍କ ଗିରଫ ଦାବି କରିଥିଲେ । ଦ୍ଵିତୀୟ ଦଫାରେ ଆଜି ବିଭିନ୍ନ ଗ୍ରାମରୁ 131 ଜଣ ଗରିବ ହିତାଧିକାରୀ ଝରିଗାଁ ବିଡିଓଙ୍କ ବିରୋଧରେ ଏତଲା ଦେଇଛନ୍ତି । ଏହି ଶୋଭାଯାତ୍ରାରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସର ସଭାପତି ମନୋଜ୍ କୁମାର ତ୍ରିପାଠୀ ସାମିଲ ହୋଇ ହିତାଧିକାରୀଙ୍କୁ ନ୍ୟାୟ ଦେବା ଦାବିରେ ସେମାନଙ୍କୁ ସୋହଯୋଗ କରିଥିଲେ । ବିଡ଼ିଓଙ୍କୁ ଶୀଘ୍ର ଗିରଫ ନକଲେ ନବରଙ୍ଗପୁରର ଏହି ନିଆଁ ସାରା ଓଡ଼ିଶାକୁ ବ୍ୟାପିବା ବୋଲି ଚେତାବନୀ ଦେଇଛନ୍ତି ମନୋଜ ତ୍ରିପାଠୀ ।

 

Leave a Reply