ଘଟଗାଁ ତାରିଣୀ ପୀଠରେ ସ୍ବଚ୍ଛ ଭାରତ ମିଶନ ଫେଲ, ରାସ୍ତାରେ ଗଦା ହୋଇଛି କୁଢ଼କୁଢ଼ ଅଳିଆ

କେନ୍ଦୁଝର: ପରିବେଶକୁ ସ୍ଵଚ୍ଛ ରଖିବା ପାଇଁ ସରକାରଙ୍କ ସ୍ଵଚ୍ଛ ଭାରତ ମିଶନ ରହିଛି । କିନ୍ତୁ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ବାସିନୀ ମା’ ତାରିଣୀଙ୍କ ପୀଠରେ ସ୍ଵଚ୍ଛ ଭାରତ ମିଶନ ଫେଲ ମାରିଥିବା ଦେଖିବାକୁ ମିଳିଛି । ଘଟଗାଁକୁ ପ୍ରବେଶ କରିବା ରାସ୍ତା ପାର୍ଶ୍ୱରେ ଗଦା ହୋଇଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ଯାହା ଉପରେ ବ୍ଲକ ପ୍ରଶାସନର ନଜର ପଡୁ ନଥିବା ଅଭିଯୋଗ ହେଉଛି ।

ସ୍ଥାନୀୟ ହୋଟେଲରୁ ବାହାରୁଥିବା ଅଇଁଠା ଖଲି ଚଉପତି ଆଦିକୁ ଆଣି ରାସ୍ତା କଡ଼ରେ ପକା ଯାଉଥିବାରୁ ରାସ୍ତା ପାର୍ଶ୍ବ ଦୁର୍ଗନ୍ଧରେ ଫାଟି ପଡୁଛି । ଫଳରେ ଭକ୍ତମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । କିନ୍ତୁ ପରିତାପର ବିଷୟ ଘଟଗାଁକୁ ସଫା ସୁତରା ରଖିବା ପାଇଁ କାହାର ନିଘା ନାହିଁ । ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଜୋର ଧରିଛି ।

ଘଟଗାଁକୁ ପ୍ରତ୍ଯେକ ଦିନ ହଜାର ହଜାର ସଂଖ୍ଯାରେ ଭକ୍ତଙ୍କ ସୁଅ ଛୁଟୁଥିବା ବେଳେ ରାସ୍ତା କଡରେ କୁଢକୁଢ ଅଳିଆ ପଡୁଥିବାରୁ ଭକ୍ତମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଉଛି । ଅନ୍ୟପଟେ ଘଟଗାଁରେ ଅଳିଆ ଆବର୍ଜନା ପକାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ଜାଗାର ଆବଶ୍ୟକ ରହିଥିବା ବେଳେ ଏଥିପ୍ରତି କାହାର ଦୃଷ୍ଟି ପଡୁ ନଥିବା ଅଭିଯୋଗ ହୋଇଛି । ସେପଟେ ସ୍ଥାନୀୟ ବିଡ଼ିଓଙ୍କୁ ଏ ବାବଦରେ ଜଣାଇବା ପରେ ସେ ଯଥାଶୀଘ୍ର ଅଳିଆ ଆବର୍ଜନା ପକାଉଥିବା ଦୋକାନଗୁଡିକୁ ନୋଟିସ ପଠାଇବା ପାଇଁ ସରପଞ୍ଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ମାଇକ ଯୋଗେ ଲୋକଙ୍କୁ ସଚେତନତା କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ।

ନଜର ପକାନ୍ତୁ