ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି, ୩୧ ଗୋଟି ଦାବି ନେଇ ଦୁଇଥର ମେଳି କଲେଣି ୫ଟି ପଂଚାୟତର ବାସିନ୍ଦା

ଚିତ୍ରକୋଣ୍ଡା: ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି । ୩୧ ଗୋଟି ଦାବି ନେଇ ସପ୍ତାହକ ମଧ୍ୟରେ ଦୁଇ ଦୁଇଥର ମେଳି କଲେଣି ୫ଟି ପଂଚାୟତର ବାସିନ୍ଦା । ଏବେ ବି ସେମାନଙ୍କର ଦାବି ଗୁଡିକ ପୂରଣ ହେଉନଥିବାରୁ ବିରୋଧ କରାଯାଇଛି । ହନ୍ତାଳଗୁଡାଠାରେ ବିଏସଏଫ କ୍ୟାମ୍ପକୁ ବିରୋଧ କରିବା ସହିତ ରାସ୍ତା କାମକୁ ମଧ୍ୟ ବିରୋଧ କରାଯାଉଛି । ସେଠାରେ କାମ କରୁଥିବା ଲୋକଙ୍କୁ ବିଏସଏଫ ଓ ପୁଲିସ ହଇରାଣ କରୁଥିବା ଅଭିଯ଼ୋଗ ହୋଇଛି ବିଭିନ୍ନ ମୌଳିକ ସୁବିଧାରୁ ଲୋକେ ବଂଚିତ ରହିଥିବା ବେଳେ ଶିକ୍ଷା ବ୍ୟବସ୍ଥା ବି ଉଜୁଡି ଯାଇଛି ।
ବ୍ଲକ କାମରେ ଯାଉଥିବା ଲୋକମାନଙ୍କୁ ବିଏସଏଫ୍ ଓ ପୋଲିସ ହଇରାଣ କରୁଛି । ଯନ୍ତାବାଇ ଠାରେ ରାଜୁ ହନ୍ତାଳ ନାମକ ଜଣେ ବ୍ୟକ୍ତିକୁ ବିଏସଏଫ ପିଟି ପିଟି ମାରିଦେବା ଘଟଣାରେ ବର୍ତ୍ତମାନ ସୁଦ୍ଧା ଦୋଷୀ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଅଞ୍ଚଳ ବାସିନ୍ଦା।
ବିଏସଏଫ୍ କ୍ୟାମ୍ପ ବସାଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରଯାଉଛି କିନ୍ତୁ ପାଞ୍ଚଟି ପଂଚାୟତ ବାସୀଙ୍କ ଦୀର୍ଘବର୍ଷ ଧରି ଦାବି କରିଆସୁଥିବା ମୌଳିକ ସମସ୍ୟା ପ୍ରତି ଧ୍ୟାନ ଦିଆଯାଉନାହିଁ । କେଉଁଠି ସ୍କୁଲ ଘର ଥିଲେ ଶିକ୍ଷକ ନାହାଁନ୍ତି , ମେଡିକାଲ ଘର ଥିଲେ ଡାକ୍ତର ନାହାନ୍ତି, ଔଷଧ ମିଳୁନାହିଁ , ଅଙ୍ଗନବାଡ଼ି ଗୃହ ନାହିଁ, ପକ୍କା ରାସ୍ତା ନାହିଁ, ଗ୍ରାମ ଗୁଡିକରେ ପାନୀୟ ଜଳର ଅଭାବ ଥିବାରୁ ପିଇବା ପାଣି ପାଇଁ ଝରଣା ପାଣି ଉପରେ ନିର୍ଭର କରୁଛନ୍ତି ଏହି ଅଂଚଳ ବାସୀ ।
ବହୁବାର ସମସ୍ୟା ନେଇ ଜଣାଯାଉଛି । ହେଲେ ପ୍ରଶାସନର କୈାଣସି ପଦକ୍ଷେପ ନେଉନଥିବାରୁ ବିକ୍ଷୋଭ ଚେତାବନୀ ଦେଇଛନ୍ତି ପଂଚାୟତବାସୀ । ଏନେଇ ପ୍ରଶାସନ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ଦେଇଛନ୍ତି ।