ପ୍ରଧାନ ଶିକ୍ଷୟିତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ , ଗ୍ୟାରେଜରୁ ମିଳିଲା ମୃତଦେହ

ଢେଙ୍କାନାଳ : ପ୍ରଧାନ ଶିକ୍ଷୟିତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ଘର ସାମ୍ନାରେ ଥିବା ଗ୍ୟାରେଜରୁ ଉଦ୍ଧାର ହେଲା ମୃତଦେହ। ଢେଙ୍କାନାଳ କାମାକ୍ଷାନଗର ତୁମୁସିଙ୍ଗା ଥାନା ଅନ୍ତର୍ଗତ ଗୁନେଇବିଲି ଗାଁର ଏ ଘଟଣା। ଘର ସାମ୍ନାରେ ଥିବା ଗ୍ୟାରେଜ ଘର ଭିତରେ ମୃତଦେହ ପଡ଼ିଥିବା ବେଳେ ଘରବାହାରେ ପଡିଥିଲା ତାଲା । ମୃତ ପ୍ରଧାନଶିକ୍ଷୟତ୍ରୀ ଜଣକ ତୁମୁସିଙ୍ଗା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରଭାତୀ ଦେହୁରୀ।
ସବୁଦିନ ପରି ରାତିରେ ଖାଇପିଇ ସାରି ଘରେ ଶୋଇଥିଲେ । ସକାଳୁ ପ୍ରଭାତୀଙ୍କ ଡ୍ରାଇଭର ଘରକୁ ଆସି ପ୍ରଭାତୀଙ୍କୁ ସ୍କୁଲ ନେବା ପାଇଁ ଡ଼ାକିଥିବା ବେଳେ ଘରେ ଥିବା ଶଶ୍ୱର ବୋହୂ ଘରେ ନଥିବା କହିଥିଲେ । ପରେ ପରିବାର ଲୋକ ଏଣେତେଣେ ଖୋଜାଖୋଜି କରିବାରୁ ଘର ସାମ୍ନାରେ ଥିବା ଗ୍ୟାରେଜ ଘରୁ ବାହାରୁ ତାଲା ପଡ଼ିଥିବା ଦେଖିଥିଲେ । ଘର ତାଲା ଭାଙ୍ଗିବାରୁ ପ୍ରଭାତୀ ଘର ଭିତରେ ସନ୍ଦେହଜନକ ଭାବେ ପଡିଥିବା ଦେଖିବାକୁ ମିଳିଥିଲା।
ପ୍ରଭାତୀଙ୍କ ଶଶ୍ୱର ତୁମୁସିଙ୍ଗା ଥାନାରେ ଖବର ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ଵିକ ସ୍ଥିତି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି । ଢେଙ୍କାନାଳ ଜିଲ୍ଲା ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ଯାଞ୍ଚ ପରେ ମୃତ ଶିକ୍ଷୟତ୍ରୀଙ୍କ ଦୁଇଟି ମୋବାଇଲ ଓ ତାଙ୍କ ଝିଅର ମୋବାଇଲ ଗାଏବ ଥିବା ସୂଚନା ପାଇଛି । ଏବଂ ଶିକ୍ଷୟତ୍ରୀ ଙ୍କ ସୁନାହାର ମଧ୍ୟ ଲୁଟ ହୋଇଥିବା ନେଇ ଜଣାପଡିଛି । ଯାହାକୁ ନେଇ ଘଟଣାରେ ନୂଆ ମୋଡ଼ ସୃଷ୍ଟି ହେଉଥିବା ବେଳେ ପ୍ରଧାନଶିକ୍ଷୟତ୍ରୀଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ସୃଷ୍ଟି କରୁଛି । ତେବେ ଶିକ୍ଷୟତ୍ରୀଙ୍କ ସ୍ୱାମୀ ଦୁଇବର୍ଷ ତଳେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ଗୋଟିଏ ପୁଅ ଓ ଝିଅ ଥିବା ଜଣାପଡିଛି । ତେବେ ଶିକ୍ଷୟତ୍ରୀ ଜଣକ କାମାକ୍ଷାନଗର ବ୍ଲକ ଓଷ୍ଟା ସଙ୍ଘ ର ସଭାପତି ଥିବା ଜଣାପଡିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।