ନବବଧୂଙ୍କ ସନ୍ଦେହଜନକ ମୃତ୍ଯୁ, ପୋଲିସର ତଦନ୍ତ ଜାରି

1 min read

ଭଦ୍ରକ: ସାଂସାରିକ ଜୀବନ ଏବେ ଏବେ ଆରମ୍ଭ ହେଉଥିଲା । ବାହାଘରକୁ ୨ ମାସ ବି ପୂରିନଥିଲା । ହେଲେ କଣ ଏମିତି ହେଲା କେଜାଣି, ସ୍ବାମୀଙ୍କ ଅନୁପସ୍ଥିତିରେ ଆତ୍ମହତ୍ଯା କରିଦେଲା ସ୍ତ୍ରୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରଥପଦା ଗାଁରେ ନବବଧୂଙ୍କର ସନ୍ଦେହଜନକ ମୃତ୍ଯୁ ହୋଇଛି । ମୃତକ ରାଜଘରପୋରୀ ପଞ୍ଚାୟତର ସଦର ସାହିର ନକୁଳ ମହାନ୍ତିଙ୍କ ଝିଅ ମାନସୀ ।

ଅଭିଯୋଗ ଅନୁସାରେ, ପରିବାର ଲୋକ ମାନସୀଙ୍କର ଅନ୍ଯତ୍ର ବାହାଘର ଠିକ୍ କରିଥିଲେ। ଏଥିପାଇଁ ନିର୍ବନ୍ଧ ମଧ୍ଯ ଶେଷ ହୋଇଥିଲା। ମାତ୍ର ସେଠାରେ ବିବାହ ନକରି ଗତ ମେ ମାସ ୧୦ ତାରିଖରେ ପ୍ରେମିକ ବିରୁପାକ୍ଷଙ୍କୁ ସେ ପ୍ରେମ ବିବାହ କରିଥିଲେ । ଏଥିରେ ମାନସୀଙ୍କ ପରିବାର ଲୋକଙ୍କ ସମ୍ମତି ନଥିଲା । ଝିଅଘର ଲୋକ ବାହାଘରରେ ସାମିଲ ମଧ୍ଯ ହୋଇନଥିଲେ । ବିବାହ ପରେ ବିରୁପାକ୍ଷ କୋଲକାତାକୁ କାମ କରିବାକୁ ଯାଇଥିଲେ । ଗତ ଦୁଇରୁ ତିନି ଦିନ ହେଲା ପତି-ପତ୍ନୀଙ୍କ ମଧ୍ଯରେ କୌଣସି କାରଣରୁ ବିବାଦ ଲାଗିଥିଲା । ବୁଧବାର ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ମାନସୀ ରଶି ଲଗାଇ ଆତ୍ମହତ୍ଯା କରିଥିବା ଅଭିଯୋଗ ହୋଇଛି । ଶାଶୂଘର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇଁ ମାନସୀଙ୍କ ବାପଘର ଲୋକ ଡାକ୍ତରଖାନାରେ ପହଞ୍ଚି ଝିଅକୁ ହତ୍ଯା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।