ଚୀନର ପୂର୍ବତନ ବୈଦେଶିକ ମନ୍ତ୍ରୀ କ୍ୱିନ ଗାଙ୍ଗଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସସପେନ୍ସ

ନନ୍ଦିଘୋଷ ବ୍ୟୁରୋ : ଚୀନର ପୂର୍ବତନ ବୈଦେଶିକ ମନ୍ତ୍ରୀ କ୍ବିନ ଗାଙ୍ଗଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସସପେନ୍ସ । ସେ ଆତ୍ମହତ୍ୟା କରିଛନ୍ତି କିମ୍ବା ତାଙ୍କ ମୃତ୍ୟୁ ପଛରେ ନିର୍ଯାତନାର କାରଣ ରହିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଗତ ଜୁନ ମାସରୁ ସେ ନିଖୋଜ ହେବା ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ସେ ନିଖୋଜ ହୋଇଯିବା ପରେ ତାଙ୍କୁ ମନ୍ତ୍ରୀ ପଦରୁ ଜୁଲାଇରେ ବହିଷ୍କାର କରାଯାଇଥିଲା । ସେପଟେ ସେ ଆମେରିକାରେ ଚୀନର ରାଷ୍ଟ୍ରଦୂତ ଥିବାବେଳେ ପରକୀୟା ପ୍ରୀତିରେ ଲିପ୍ତ ଥିଲେ ବୋଲି ଚର୍ଚ୍ଚା ହେଉଛି । ଗତ ଜୁଲାଇରେ ବେଜିଂର ଏକ ମିଲିଟାରୀ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସୂଚନା ମିଳିଛି । ଆମେରିକାରେ ଥିବାବେଳେ ଫୁ ସିଆଟିଆନ ନାମ୍ନୀ ଜଣେ ରିପୋର୍ଟରଙ୍କ ସହ ତାଙ୍କର ସମ୍ପର୍କ ଥିଲା ଏବଂ ତାଙ୍କର ଏକ ଅବୈଧ ସନ୍ତାନ ଥିଲା । ଏହି କାରଣକୁ ନେଇ ତାଙ୍କୁ ପଦବୀରୁ ହଟାଇ ଦିଆଯାଇଥିଲା ବୋଲି ଏକ ରିପୋର୍ଟ ମିଳିଛି । ଗତ ଜୁଲାଇରେ ତାଙ୍କୁ ହଟାଇ ଦିଆଯାଇ ତାଙ୍କ ସ୍ଥାନରେ ଓ୍ବାଙ୍ଗଙ୍କୁ ବୈଦେଶିକ ମନ୍ତ୍ରୀ କରାଯାଇଥିଲା ।China's ex-foreign minister Qin Gang died of suicide or torture: Report -  BusinessToday

କେତେକ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀଙ୍କ ଜରିଆରେ ପାଶ୍ଚାତ୍ୟ ଶକ୍ତି ଗୋପନ ତଥ୍ୟ ହାସଲ କରୁଥିବା ସମ୍ପର୍କରେ ସୂଚନା ଦେବା ଲାଗି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିକଟକୁ ଜଣେ କୂଟନୀତିଜ୍ଞଙ୍କୁ ବେଜିଂ ପଠାଇଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏପରିକି ପାଶ୍ଚାତ୍ୟ ରାଷ୍ଟ୍ରରେ ଗୁଇନ୍ଦା ସଂସ୍ଥା ସହ କ୍ବିନ ଗାଙ୍ଗ ସାଲିସ କରିଛନ୍ତି ବୋଲି ଜିନପିଙ୍ଗଙ୍କୁ ଋଷ କୂଟନୀତିଜ୍ଞ ଆନ୍ଦ୍ରେଇ ରୁଦେଙ୍କୋ କହିଥିଲେ ବୋଲି ସୂଚନା ମିଳିଛି । ଗତ ୨୦୨୨ ଡିସେମ୍ବରରେ କ୍ବିନ ଗାଙ୍ଗଙ୍କୁ ଆମେରିକାରେ ଅବସ୍ଥାପିତ କରାଯାଇଥିଲା । ଗତ ଜୁନରେ ରୁଦେଙ୍କୋ ବେଜିଂ ଗସ୍ତରେ ଆସିବାର କିଛି ଦିନ ପରେ କ୍ବିନ ଗାଙ୍ଗ ଆକସ୍ମିକ ଉଭାନ ହୋଇଯାଇଥିଲେ । ପୂର୍ବରୁ ବି ଗୁଇନ୍ଦାଗିରି ଅଭିଯୋଗ କ୍ରମେ ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗଫୁଙ୍କୁ ପଦବୀରୁ ହଟାଇ ଦିଆଯାଇଥିଲା ।