ଭରତରପୁର ଥାନା ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ହେବ ପଲିଗ୍ରାଫ ଟେଷ୍ଟ

1 min read

ଭୁବନେଶ୍ବର : ମିଛ କହୁଛନ୍ତି କି ଭରତପୁର ଥାନା ନିଲମ୍ବିତ ଆଇଆଇସି ? ତତ୍କାଳୀନ ଥାନାଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ । ଦୀନକୃଷ୍ଣ ମିଶ୍ର ଦେବେ ସତମିଛର ପରୀକ୍ଷା । ଥାନା ଭିତରେ ଯୁବତୀଙ୍କୁ ଯୌନନିର୍ଯାତନା ଭଳି ସଂଗୀନ ଅଭିଯୋଗର ସତ ଜାଣିବାକୁ ନିଲମ୍ବିତ ଆଇଆଇସିଙ୍କର ପଲିଗ୍ରାଫ ଟେଷ୍ଟ କରିବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ଯାହାକୁ ଅନୁମତି ଦେଇଛନ୍ତି ଭୁବନେଶ୍ୱର SDJM କୋର୍ଟ । ଏଥିପାଇଁ ଖୁବଶୀଘ୍ର ଏକ ସ୍ବତନ୍ତ୍ର ଟିମ୍ ଦୀନକୃଷ୍ଣକୁ ନେଇ ଗୁଜୁରାଟ ଗାନ୍ଧୀନଗର ଗସ୍ତ କରିବ । ଏହାଛଡ଼ା ଆବଶ୍ଯକସ୍ଥଳେ ଅନ୍ଯ ଦୁଇଟି ପରୀକ୍ଷା କରିବାକୁ ଅନୁମତି ମିଳିଛି । ସକାଳେ କୋର୍ଟରେ ହାଜର ହୋଇ ଯେକୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ବୋଲି କହିଥିଲେ ଦୀନକୃଷ୍ଣ । ପଲିଗ୍ରାଫ ସହ ନାର୍କୋ ଆନାଲିସିସ ଓ ବ୍ରେନ ମ୍ଯାପିଂ ପାଇଁ ବି ସମ୍ମତ ପ୍ରକାଶ କରିଥିଲେ ।
ସକାଳ ୮ ଟା.. ଭୁବନେଶ୍ୱର ଭରତପୁର ଥାନାରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ । ସକାଳ ୯ଟାରେ ପହଞ୍ଚିଥିଲେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀ । ବଡ଼ିଭୋରରୁ ଉପସ୍ଥିତ ଥିଲେ ତତ୍କାଳୀନ ଥାନାଧିକାରୀ ଦୀନକୃଷ୍ଣ ମିଶ୍ର ଓ ଅନ୍ୟ ୪ ନିଲମ୍ବିତ ପୋଲିସ । ଦୁଇ ପକ୍ଷକୁ ସମ୍ନାସାମ୍ନି ବସାଇ ସତ ଓଗାରିଥିଲା ତଦନ୍ତକାରୀ ଟିମ । ଫାରୋ କ୍ୟାମେରା ସାହାଯ୍ୟରେ ହୋଇଥିଲା 360 ଡିଗ୍ରୀ ତଦନ୍ତ । ନାଟକୀୟ ଢଙ୍ଗରେ ସେଦିନ ଘଟିଥିବା ଟିକିନିଖି ଘଟଣା କହିଥିଲେ ପୀଡିତା । ରିସେପ୍ସନରେ ପହଁଚିବାଠାରୁ ଲକଅଫ ଭିତରେ ଯୌନନିର୍ଯାତନା ପର୍ଯ୍ୟନ୍ତ…ଲୋମହର୍ଷଣକାରୀ ଘଟଣା ସମ୍ପର୍କରେ ରଖିଥିଲେ ଛାତିଥରା ବୟାନ । ପରେ ସେନା ଅଧିକାରୀଙ୍କ ଉପସ୍ଥିତିରେ କ୍ରାଇମବ୍ରାଞ୍ଚ ଯାଇଥିଲା ପଥରଗାଡ଼ିଆ ସ୍ଥିତ ସୁନ୍ଦରପୁରକୁ । ଯେଉଁଠି ରାତି ଅଧରେ ଉତ୍ପାତ ରଚିଥିଲେ ରୋଡ୍ ରୋମିଓ । ସେଠାରେ ସେଦିନର ଘଟଣାକୁ ନେଇ କରାଯାଇଥିଲା ସିନ ରିକ୍ରିଏସନ । ଏବେ ମାମଲାରେ ସାମ୍ନାକୁ ଆସିଛି ରୋଚକ ତଥ୍ଯ । ସିସିଟିଭି ନଥିବା ବେଳେ ଥାନାରେ ପୂଜା ନାଁରେ ହୋମଯଜ୍ଞ କରି ବଳିଷ୍ଠ ପ୍ରମାଣକୁ ପୋଡି ଦିଆଯାଇଛି । ନିଜ ନାଁ ଗୋପନ ରଖି ଜଣେ ପୋଲିସ କର୍ମଚାରୀ ଏଭଳି ବୟାନ ଦେଇଛନ୍ତି । ଯାହାକୁ ନେଇ ଚାରିଆଡ଼େ ଚାଞ୍ଚଲ୍ଯ ଖେଳିଯାଇଛି ।