ରାସ୍ତାକୁ ଆସିଲା ସ୍ୱାମୀ ସ୍ତ୍ରୀଙ୍କ ଝଗଡ଼ା, ଗାଡ଼ି ଅଟକାଇ ସାମ୍ନାରେ ଚଢିଲେ ସ୍ତ୍ରୀ

ମୁମ୍ବାଇ: ବିଚ୍ ରାସ୍ତାରେ ପତି, ପତ୍ନୀ ଫାଇଟ୍ । ମଝି ରାସ୍ତାରେ ସ୍ୱାମୀଙ୍କ ଗାଡ଼ି ଆଗରେ ସ୍ତ୍ରୀଙ୍କ ହଙ୍ଗାମା । ଦମ୍ପତିଙ୍କ ଝଗଡ଼ାରୁ ଟ୍ରାଫିକ୍ ଜାମ୍ । ମହାନଗରୀ ମୁମ୍ବାଇର ପେଡ୍ଡର ରୋଡରେ ଶନିବାର ସନ୍ଧ୍ୟାରେ ସ୍ୱାମୀ, ସ୍ତ୍ରୀଙ୍କ ଝଗଡ଼ା ଦେଖି ଲୋକେ ଚକିତ ହୋଇ ଯାଇଥିଲେ । ମଝି ରାସ୍ତାରେ ଜାମ୍ ପାଇଁ ଟ୍ରାଫିକ୍ ପୋଲିସ ମହିଳାଙ୍କୁ ଚାଲାଣ ପଠାଇଛି । ତେବେ, ଏଥିପାଇଁ କୌଣସି ଅପରାଧିକ ମାମଲା ରୁଜୁ କରାଯାଇ ନଥିବା ପୋଲିସ ସୂଚନା ଦେଇଛି ।

ସୋସିଆଲ୍ ମିଡିଆରେ ଏ ସମ୍ପର୍କିତ ଭିଡିଓ ଭାଇରାଲ୍ ହେଉଛି । ତାଙ୍କ ସ୍ୱାମୀ କାରରେ ଅନ୍ୟ ଜଣେ ଯୁବତୀଙ୍କୁ ବସାଇ ନେଉଥିଲେ । ଯାହାକୁ ନେଇ ବିଚ୍ ରାସ୍ତାରେ ଆରମ୍ଭ ହୋଇଥିଲା ଯୁଦ୍ଧ । ମହିଳା ଜଣଙ୍କ ସ୍ୱାମୀଙ୍କ କଳା ରଙ୍ଗର କାରକୁ ଅଟକାଇ ଥିଲେ । ଫଳରେ ପେଡ୍ଡର ରୋଡରେ ଟ୍ରାଫିକ୍ ଜାମ ସ୍ଥିତି ଉପୁଜିଥିଲା । ମହିଳା ଜଣଙ୍କ କାରର ବନେଟ ଉପରେ ଚଡ଼ି ଆଗ କାଚକୁ ଚପଲ ଫିଙ୍ଗିଥିଲେ ।

ସ୍ୱାମୀ ବାହାରକୁ ବାହାରିବା ପରେ ସେ ତାଙ୍କୁ ଗୋଇଠା ମାରି ଦେଇଥିଲେ । ସେହି ସମୟରେ କାରରେ ଥିବା ଯୁବତୀ ଜଣଙ୍କ ଗାଡ଼ି ନେଇ ପଳାଇବାକୁ ଚେଷ୍ଟା କରିଥିଲେ । ଆଗ ଟ୍ରାଫିକରେ ଗାଡ଼ି ରଖିବା ପରେ ଯୁବତୀଙ୍କ ସହ ଝଗଡ଼ା ଆରମ୍ଭ କରିଥିଲେ ମହିଳା । ଏହି ଘଟଣା ପରେ ଟ୍ରାଫିକ ପୋଲିସ ୨ ଗାଡ଼ି ସହିତ ପତି, ପତ୍ନୀ ଓ ଅନ୍ୟ ଜଣେ ଯୁବତୀଙ୍କୁ ଗାମଦେବୀ ପୋଲିସ ଥାନାକୁ ଆଣିଥିଲା । ପରେ ମହିଳା ଜଣଙ୍କୁ ଚାଲାଣ କଟା ଯାଇଥିବା ଅତିରିକ୍ତ ଟ୍ରାଫିକ୍ କମିଶନର ପ୍ରବୀଣ ପଦଭାଲ ସୂଚନା ଦେଇଛନ୍ତି ।

Leave a Reply