ପ୍ରେମ ପାଇଁ ରାଜନୀତି ଛାଡିଦେଇଥିଲେ ସୁଶୀଲ ମୋଦି

ନନ୍ଦିଘୋଷ ବ୍ୟୁରୋ : ବିହାର ରାଜନୀତିର ଜଣାଶୁଣା ଚେହରା ତଥା , ଜଣେ ବରିଷ୍ଠ ରାଜନେତା ସୁଶୀଲ ମୋଦି ଆଉ ନାହାନ୍ତି । ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ  ସୁଶୀଲ କୁମାରଙ୍କର ୭୨ ବର୍ଷ ବୟସରେ ବିୟୋଗ ହୋଇଛି । ତାଙ୍କର ଅନେକ ରାଜନୈତିକ କାର୍ଯ୍ୟ ପାଇଁ ସେ ସର୍ବଦା ଚର୍ଚ୍ଚାରେ ରହିଆସୁଥିଲେ । କିନ୍ତୁ ସେ କେବଳ ରାଜନୀତି ପାଇଁ ନୁହେଁ ବରଂ ତାଙ୍କ ଲଭ୍ ଷ୍ଟୋରୀ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହୁଥିଲେ ।

ବିହାରର ପୁଅ ଏବଂ ମୁମ୍ୱାଇର ଝିଅ । ଦୁହେଁ ମୁମ୍ୱାଇରୁ ଦିଲ୍ଲୀ ଯାଉଥିବା ଏକ ଟ୍ରେନରେ ଦେଖା ହୋଇଥିଲେ । କିନ୍ତୁ କାହାକୁ ବା ଜଣାଥିଲା ଏହି ଏହି ୧୪୦୦ କିମି ଦୂର ରାସ୍ତା ଦୁହିଁଙ୍କ ଜୀବନ ବଦଳାଇଦେବ । ଏହି କାହାଣୀ ଫିଲ୍ମ ପରି ଲାଗୁଥିଲେ ମଧ୍ୟ ଏହା ପ୍ରେମ କାହାଣୀ ସତ  ଏବଂ ଏହି କାହାଣୀ ସୁଶୀଲ କୁମାର ମୋଦି ଏବଂ ତାଙ୍କ ପତ୍ନୀ ଜେସୀ ଜୋର୍ଜଙ୍କର ।

କୁହାଯାଏ କି ଦୁହେଁ ଏହି ଟ୍ରେନରେ ଏକାଠି ଅନେକ ଦିନ ଧରି ଯିବା ଆସିବା କରିଥିଲେ ଏବଂ ସେହି ଠାରୁ ହିଁ ତାଙ୍କ ପ୍ରେମ ଆରମ୍ଭ ହୋଇଥିଲା  । ଏପରିକି  ଦୁହେଁ ଦୁହିଁଙ୍କୁ ପ୍ରେମ ପତ୍ର ଲେଖୁଥିଲେ । କିନ୍ତୁ ଦୁହେଁ ଅଲଗା ଅଲଗା ଧର୍ମର ହୋଇଥିବାରୁ ସେମାନଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡିଥିଲା ।

ଘର ଲୋକଙ୍କ ବିରୋଧ ବ୍ୟତୀତ ସୁଶୀଲ ମୋଦି ଆରଏସଏସ  ସହ ଜଡିତ ଥିବାରୁ ତାଙ୍କ ପ୍ରେମରେ ବଡ଼ ବାଧା ସୃଷ୍ଟି ହୋଇଥିଲା  । କିନ୍ତୁ ସେ ଏଠାରେ ରାଜନୀତିକୁ ଛାଡି ପ୍ରେମକୁ ବାଛି ଥିଲେ । ସେ ଆରଏସଏସ  ଛାଡି ୧୯୮୬ ମସିହାରେ ପ୍ରେମ ବିବାହ କରିଥିଲେ  । ତାଙ୍କ ବିବାହରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରି ବଡ଼ ନେତା ସାମିଲ ହୋଇଥିଲେ ।

ବିବାହ ପରେ ସେ ରାଜନୀତି ଠାରୁ କିଛି ଦିନ ଦୂରେଇ  ରହିଥିଲେ । ଏହା ପରେ ସେ ଏକ କମ୍ପ୍ୟୁଟର ଇନଷ୍ଟିଟ୍ୟୁଟ୍ ଖୋଲିଥିଲେ । କିନ୍ତୁ ଏଥିରେ ସେ ବେଶୀ ଦିନ ଧରି ରହିପାରି ନଥିଲେ। ଏହାପରେ ୧୯୯୦ ମସିହାରେ ସେ ବିଧାନସଭା ପହଞ୍ଚି ଯାଇଥିଲେ। ସୁଶୀଲ ମୋଦି ବିହାରର ଉପ ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କ ପତ୍ନୀ ଏକ କଲେଜରେ ଅଧ୍ୟାପିକା ଥିଲେ ।