ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା: କଂସ ଭୂମିକାରେ ଅଭିନୟ କରିବେ ସୁଶୀଲ କୁମାର ମେହେର
ନନ୍ଦିଘୋଷ ବ୍ୟୁରୋ: ଡିସେମ୍ବର ୨୪ ତାରିଖରୁ ଦୁଲୁକିବ ବରଗଡ଼ । ଲାଗିବ ପ୍ରବଳ ପ୍ରତାପୀ କଂସ ମହାରାଜଙ୍କ ଦରବାର । ପୁଣି ଥରେ ହେବ ଧନୁଯାତ୍ରା । ମୁକ୍ତାକାଶରେ ଅଭିନୟର ଯାଦୁ ଦେଖାଇବେ କଳାକାର । ଏଥିପାଇଁ କଳାକାର ଚୟନ ଶେଷ ହୋଇଛି । ଚଳିତବର୍ଷ କଂସ ଭୂମିକାରେ ଅଭିନୟ କରିବା ପାଇଁ ସୁଶୀଲ କୁମାର ମେହେର ଚୟନ ହୋଇଛନ୍ତି । ବରଗଡ଼ ଏଡିଏମ ବିଧିବଦ୍ଧ ଭାବେ ସୁଶୀଲଙ୍କ ନାଁ ଘୋଷଣା କରିଛନ୍ତି । ୩୬ ଜଣ କଳାକାରଙ୍କୁ ପଛରେ ପକାଇ ସୁଶୀଲ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବାକୁ ମନୋନିତ ହୋଇଛନ୍ତି ।
ସୂଚନାଯୋଗ୍ୟ, କଂସ ଭୂମିକାରେ ଅଭିନୟ କରିବା ପାଇଁ ୪୪ ଜଣ କଳାକାର ଆବେଦନ କରିଥିଲେ । ତେବେ ଚୟନ ପ୍ରକ୍ରିୟାରେ ୩୬ ଜଣ କଳାକାର ଅଂଶଗ୍ରହଣ କରିଥିଲେ । ୫ ଜଣ ବିଚାରପତିଙ୍କ ସମ୍ମୁଖରେ କଳାକାରମାନେ ନିଜ ଅଭିନୟର ଯାହୁ ଦେଖାଇ ଥିଲେ । ଶେଷରେ ସୁଶୀଲଙ୍କୁ ବିଚାରକ ମଣ୍ଡଳୀ କଂସ ଚରିତ୍ର ପାଇଁ ମନୋନିତ କରିଛନ୍ତି ।
ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲରେ ତିନିଦିନ ଧରି ଧନୁଯାତ୍ରା ପାଇଁ କଳାକାର ଚୟନ କରାଯାଇଥିଲା । ଏଥିପାଇଁ ୨୯୧ ଜଣ ଆବେଦନ କରିଥିଲେ । ନଭେମ୍ବର ୧୫ ତାରିଖରେ ଦେବକୀ, ନାରଦ, ଚାଣୁର, ମୁଷ୍ଟିକ, ସାର୍ତ୍ତକୀ, ବସୁଦେବ, ଅକ୍ରୁର ଏବଂ ଉଗ୍ରସେନ ଭୂମିକା ପାଇଁ କଳାକାର ଚୟନ ହୋଇଥିଲା । ୧୬ ତାରିଖରେ ମହାମନ୍ତ୍ରୀ ଓ ସେନାପତି ପାଇଁ କଳାକାର ଚୟନ କରାଯାଇଥିଲା । ୧୭ ତାରିଖରେ କଂସ ଭୂମିକା ପାଇଁ କଳାକାର ଚୟନ କରାଯାଇଛି । ସୂଚନାଯୋଗ୍ୟ, ଚଳିତବର୍ଷ ଚୟନ ହୋଇଥିବା କଳାକାରମାନେ ଆଗାମୀ ତିନିବର୍ଷ ପର୍ଯ୍ୟନ୍ତ ଅଭିନୟ କରିବେ । ଏହାପରେ ପୁଣି ଥରେ କଳାକାର ଚୟନ କରାଯିବ ।

