ଅଲିମ୍ପିକ୍ସ ପୋଡିୟମରେ ଛାତି ଚଉଡ଼ା କରି ଛିଡ଼ା ହେଉଥିବା ସୁଶୀଲ, ଆଜି କାହିଁକି ଜେଲର ୪ କାନ୍ଥ ଭିତରେ, ଜାଣନ୍ତୁ

1 min read

ନୂଆଦିଲ୍ଲୀ: ସୁଶୀଲ କୁମାର, ଏହି ନାଁ ଏବେ ଅଲମ୍ପିକ୍ସର ଗ୍ରାଉଣ୍ଡରୁ ଅପରାଧର ଦୁନିଆରେ ଆସି ପହଞ୍ଚିଛି। ଯେଉଁ ହାତ ଦୁଇ ଦୁଇଥର ଅଲିମ୍ପିକ୍ ପଦକକୁ ହାତେଇଥିଲା ସେହି ହାତରେ ଏବେ ହତ୍ୟା ଅଭିଯୋଗରେ ହାତକଡ଼ି ପଡ଼ିଛି। ଆଜି ସୁଶୀଲ କୁମାର ହତ୍ୟା ମାମଲାରେ ହାଜତରେ ରହିଛନ୍ତି। କିନ୍ତୁ କିପରି ? ଆସନ୍ତୁ ଜାଣିବା…

୧୯୯୮ରୁ ଆରମ୍ଭ ହୁଏ ସୁଶୀଲ କୁମାରଙ୍କ ସଫଳତା। ବିଶ୍ୱ କ୍ୟାଡେଟ ଗେମ୍ସରେ ସୁଶୀଲ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଦୁଇ ବର୍ଷ ପରେ ଏସିଆନ୍‌ ସ୍ତରରେ ଜୁନିୟର ଚାମ୍ପିଅନସିପରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ ସୁଶୀଲ। ଆହୁରି ଆଗକୁ ବଢ଼ିବା ପାଇଁ ସୁଶୀଲଙ୍କ ପ୍ରଥମ ଷ୍ଟେପ୍ ଥିଲା ଏସିଆନ ରେସଲିଂ ଚାମ୍ପିଅନସିପ୍। ୨୦୦୩ରେ ଏସିଆନ ରେସଲିଂ ଚାମ୍ପିଅନସିପ୍ ଏବଂ କମନୱେଲଥ ଚାମ୍ପିଅନସିପରେ ହାତେଇଥିଲେ ସ୍ୱର୍ଣ୍ଣ ପଦକ। ଏହାପରେ ସମସ୍ତଙ୍କର ବହୁତ ଆଶା ଥିଲା ଯେ ସୁଶୀଲ କୁମାର ୨୦୦୪ ଅଲିମ୍ପିକ୍ସରେ ନିଶ୍ଚିତ ଭାବରେ କିଛି କରିବେ କିନ୍ତୁ ସେ ସମସ୍ତଙ୍କୁ ନିରାଶ କରିଥିଲେ। ଏହା ଏମିତି ଏକ ସମୟ ଥିଲା ଯେଉଁଠାରୁ ସୁଶୀଲ କୁମାରଙ୍କ ପରିଚୟ ବଦଳିବାକୁ ଆରମ୍ଭ କରିଥିଲା ।

୨୦୦୪ ଅଲିମ୍ପିକ୍ସ ହାରିବା ପରେ ଅନ୍ୟ ଟୁର୍ନାମେଣ୍ଟରେ ସ୍ୱର୍ଣ୍ଣ ଜିତିବାରେ ଲାଗିଥିଲେ ସୁଶୀଲ। ୨୦୦୫ ଏବଂ ୨୦୦୭ର କମନୱେଲଥ ଗେମରେ ମଧ୍ୟ ସ୍ୱର୍ଣ୍ଣ ଜିତି ସାରା ଦେଶକୁ ଗର୍ବିତ କରାଇଥିଲେ। ଏହାପରେ ଆସିଲା ୨୦୦୮ ଅଲିମ୍ପିକ୍ସ। ୨୦୦୪ରେ ବିଫଳ ହୋଇଥିବା ସୁଶୀଲ କୁମାର ୨୦୦୮ରେ ଜିତିଥିଲେ ବ୍ରୋଞ୍ଜ ମେଡାଲ। ସୁଶୀଲ ବ୍ରୋଞ୍ଜ ମେଡାଲ ଜିତିବା ପରେ ୨୦୧୧ ରେ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।

ଭାରତ ସେତେବେଳେ ଏମିତି ଏକ ସମୟରେ ପାଦ ଥାପିଥିଲା, ଯେଉଁ ସମୟରେ ଅଲିମ୍ପିକ୍ସରେ ଗୋଟିଏ ବି ପଦକ ଜିତିବା ଭାରତ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ହେଉଥିଲା। ଆଉ ସୁଶୀଲ କୁମାର ଏହି ସୁଯୋଗ ଭାରତକୁ ଦୁଇ ଦୁଇଥର ଦେଇଛନ୍ତି। ଏହାପରେ ୨୦୧୨ ଗ୍ରୀଷ୍ମ ଅଲିମ୍ପିକ୍ସରେ ସୁଶୀଲ ସିଲଭର ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ। ତେବେ ଦୁଇଟି ଅଲିମ୍ପିକ୍ ପଦକ ଜିତିଥିବା ଏକମାତ୍ର ଭାରତୀୟ ହେଉଛନ୍ତି ସଶୀଲ କୁମାର।

୨୦୧୨ ପରେ ବଦଳିଯାଇଥିଲା ସୁଶୀଲଙ୍କ ଜୀବନଶୈଳୀ। ରେଲଓ୍ୱେରେ ଚାକିରି ମିଳିଥିଲା ଏବଂ ଛତ୍ରସାଲ ଷ୍ଟାଡିୟମରେ ଥିଲେ OSD। ଧିରେ ଧିରେ ସେ ରୋଲ ମଡେଲ ହୋଇ ସମସ୍ତଙ୍କ ସାମ୍ନାରେ ଉଭା ହୋଇଥିଲେ। କୁସ୍ତି ପାଇଁ ଆସୁଥିବା ଯୁବ ରେସଲର ତାଙ୍କୁ ଏକ ଆଦର୍ଶ ଭାବରେ ମାନି ନେଇଥିଲେ। ସେଥିମଧ୍ୟରୁ ସାଗର ଧନଖର ଥିଲେ ଜଣେ ସେମିତି ଫ୍ୟାନ୍।

ସାଗର ୨୦୧୨-୧୩ରେ ସିଜନରେ ଛତ୍ରସାଲ ଷ୍ଟାଡିୟମକୁ କୁସ୍ତି ଶିଖିବା ପାଇଁ ଆସିଥିଲେ। ସେଠାରେ ସୁଶୀଲ ନେଇଥିଲେ ସାଗରଙ୍କର ଟେଷ୍ଟ। ଟେଷ୍ଟରେ ପାସ୍ ହେବା ପରେ ସାଗରଙ୍କୁ ହଷ୍ଟେଲରେ ରହିବା ପାଇଁ ଏକ ରୁମ ଦିଆଯାଇଥିଲା ଆଉ ଆରମ୍ଭ ହୋଇଥିଲା ତାଲିମ। ସାଗର ଜଣେ ଭଲ କୁସ୍ତି ଖେଳାଳି ଥିଲେ, ଦେଶ ତଥା ବିଦେଶରେ ଅନେକ ପଦକ ଜିତିଛନ୍ତି ସାଗର। ଗତ ବର୍ଷ ପର୍ଯ୍ୟନ୍ତ ଛତ୍ରସାଲର ହଷ୍ଟେଲରେ ରହୁଥିଲେ କିନ୍ତୁ ଏହା ପରେ ମାଣ୍ଡଲ ଟାଉନର ଏମ୍ ବ୍ଲକ୍‌କୁ ସ୍ଥାନାନ୍ତର ହୋଇଥିଲେ ସାଗର ଏବଂ ସେହିଠାରୁ ସାଗରଙ୍କୁ ଅପହରଣ କରାଯାଇଥିଲା ।

୨୦୨୧ ମେ ୪ ତାରିଖରେ ଅଲିମ୍ପିକ୍ସ ବିଜେତା ସୁଶୀଲ କୁମାର ପାଲଟିଥିଲା ସାଗରଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ। ୪ ତାରିଖ ରାତି ୧୧ ଟାରେ ସାଗର ରହୁଥିବା ଏମ୍ ବ୍ଲକରେ କିଛି ଲୋକ ପହଞ୍ଚନ୍ତି ଏବଂ ସେଠାରୁ ସାଗରଙ୍କ ସହ ତାଙ୍କ ସାଥିଙ୍କୁ ଅପହରଣ କରିନିଅନ୍ତି। ଯେଉଁମାନେ ଅପହରଣ ହୋଇନଥିଲେ ସେମାନେ କହିଛନ୍ତି ସାଗରଙ୍କୁ ଅପହରଣ କରାଯାଇଥିବା ଗାଡ଼ିରେ ସୁଶୀଲ କୁମାର ବସିଥିଲେ। ସମସ୍ତଙ୍କୁ ବନ୍ଧୁକ ମୁନରେ ଡରାଇ ଛତ୍ରସାଲ ହଷ୍ଟେଲକୁ ନିଆଯାଇଥିଲା।

ଅଭିଯୋଗ ହୋଇଛି ଯେ ଏହି ଛତ୍ରସାଲ ଷ୍ଟାଡିୟମର ପାର୍କିଂରେ ସାଗର ଏବଂ ତାଙ୍କ ସାଙ୍ଗ – ସୋନୁ ଏବଂ ଅମିତ କୁମାରଙ୍କୁ ଗୁରୁତର ଭାବେ ମାଡ ମରାଯାଇଥିଲା। ଏହାପରେ ୩ ଜଣ ଗୁରୁତର ହୋଇପଡ଼ିଥିଲେ। ଗୁରୁତରଙ୍କୁ ବିଜେଆରଏନ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ୨ ଜଣ ବଞ୍ଚିଯାଇଥିବା ବେଳେ ସାଗରଙ୍କର ଚିକିତ୍ସା ସମୟରେ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା।

ତେବେ ସାଗରଙ୍କର ମୃତ୍ୟୁ ପରେ ସାମ୍ନାକୁ ଆସିଥିଲା ସୁଶୀଲ କୁମାରଙ୍କର ନାଁ। ଏହାପରେ ସୁଶୀଲ ହୋଇଯାଇଥିଲେ ଫେରାର। ଦିଲ୍ଲୀ ପୋଲିସ ସୁଶୀଲଙ୍କୁ ଖୋଜିବା ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶିର ଘୋଷଣା କରିଥିଲେ। ଏହା ପରେ ଲୁକଆଉଟ୍ ନୋଟିସ୍ ଏବଂ ମେ ୧୫ ରେ କୋର୍ଟ ସୁଶୀଲ କୁମାରଙ୍କ ବିରୋଧରେ ଜାରି କରିଥିଲେ ଜାମିନ ବିହୀନ ୱାରେଣ୍ଟ। ତା’ପରେ ସୁଶୀଲଙ୍କ ପକ୍ଷରୁ ଓକିଲ ରୋହିଣୀ ଜିଲ୍ଲା କୋର୍ଟରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରିଥିଲେ। ଏହାପରେ ତାଙ୍କୁ ଦିଲ୍ଲୀର ମୁନ୍ଦକା ଅଞ୍ଚଳରୁ ଗିରଫ କରାଯାଇଥିଲା। ସୁଶୀଲଙ୍କ ସହ ତାଙ୍କର ଜଣେ ସହଯୋଗୀ ଅଜୟ ମଧ୍ୟ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଫେରାର ପରେ ସୁଶୀଲ ହରିଦ୍ୱାରର ଋଷିକେଶର ଏକ ବଡ ଆଶ୍ରମରେ ରହୁଥିଲେ।

Leave a Reply