Sushant Singh Rajput Case: ମାମଲାର ତଦନ୍ତ କରିବ ସିବିଆଇ,ସୁପ୍ରିମକୋର୍ଟଙ୍କ ଆଦେଶକୁ ପରିବାରର ସ୍ୱାଗତ

1 min read

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତକୁ ସୁପ୍ରିମକୋର୍ଟ ସବୁଜ ସଂକେତ ଦେଇଛନ୍ତି । ସୁପ୍ରିମକୋର୍ଟ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯିବା ପାଇଁ ବିହାର ସରକାରଙ୍କ ସୁପାରିସକୁ ସଠିକ ବୋଲି ମାନିଛନ୍ତି । ଏହା ସହ ଏହି ମାମଲାରେ ପାଟନାର ଏତଲା ଦାଏର କରିବା ମଧ୍ୟ ଠିକ୍ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହାସହ ତଦନ୍ତରେ ସହଯୋଗ କରିବାକୁ ସୁପ୍ରିମକୋର୍ଟ ମୁମ୍ବାଇ ପୋଲିସକୁ ଆଦେଶ ଦେଇଛନ୍ତି ।  ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଏହି ମାମଲାରେ ମୁମ୍ବାଇ ପୋଲିସ କେବଳ ଜେରା କରିଛି କୌଣସି ତଦନ୍ତ କରି ନାହିଁ ।  ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ପୋଲିସ ପାଇଁ ଗୋଟିଏ ବଡ ଝଟକା ।

ଅନ୍ୟାୟ ବିରୋଧରେ ବିଜୟ: ବିହାର ଡିଜିପି

ସିବିଆଇ ତଦନ୍ତ ଲାଗି ସୁପ୍ରିମକୋର୍ଟଙ୍କ ଆଦେଶକୁ ସ୍ୱାଗତ କରିଛନ୍ତି ବିହାର ଡିଜିପି । ସେ ମୁମ୍ବାଇ ପୋଲିସର ତଦନ୍ତ ଓ ବିହାର ପୋଲିସ ଅଫିସରଙ୍କ କ୍ୱାରେଣ୍ଟାଇନ ଉପରେ ମନ୍ତବ୍ୟ ଦେଇଛନ୍ତି । ମିଡିଆ ସହ କଥା ହୋଇ ସେ କହିଛନ୍ତି ଯେ, ଏଥିରୁ ବିହାର ପୋଲିସ କିଛି ଭୁଲ କରିନାହିଁ ବୋଲି ସାବ୍ୟସ୍ତ ହେଉଛି ।  ଏହା ଅନ୍ୟାୟ ବିରୋଧରେ ବିଜୟ । ସୁଶାନ୍ତଙ୍କୁ ନ୍ୟାୟ ମିଳିବ ବୋଲି ଆମର ବିଶ୍ୱାସ । ଆମ ବିରୋଧରେ ଅନେକ ଅଭିଯୋଗ ଅଣାଯାଇଥିଲା,ଆମକୁ ତଦନ୍ତ କରିବାକୁ ସୁଯୋଗ ଦିଆଯାଇନଥିଲା । କିନ୍ତୁ ପାଟନା ପୋଲିସ ସବୁକିଛି ଆଇନଗତ ଭାବେ କରୁଥିଲା ।

ସୁଶାନ୍ତଙ୍କ ଭାଇ କ’ଣ କହିଲେ ?

ସୁଶାନ୍ତଙ୍କ ଦାଦାପୁଅ ଭାଇ ନୀରଜ ସିଂହ ବବଲୁ କହିଛନ୍ତି ଯେ ,ଆମ ପରିବାର ଓ ଦେଶର କୋଟି କୋଟି ଲୋକଙ୍କ ପାଇଁ ଏହି ନିଷ୍ପତ୍ତି ଆସିଛି । ଆମେ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛୁ ଯେଉଁମାନେ ସିବିଆଇ ତଦନ୍ତ ପାଇଁ ଆମ ଦାବିକୁ ସମର୍ଥନ କରିଥିଲେ ।

ସୁଶାନ୍ତଙ୍କ ଭଉଣୀଙ୍କ ପ୍ରତିକ୍ରିୟା

ସିବିଆଇ ତଦନ୍ତକୁ ସୁପ୍ରିମକୋର୍ଟଙ୍କ ସବୁଜ ସଂକେତକୁ ନେଇ ସୁଶାନ୍ତଙ୍କ ପରିବାର ଖୁସୀ ଅଛି । ତାଙ୍କ ଭଉଣି ଶ୍ୱେତା ସିଂହ କିର୍ତ୍ତି ଟ୍ୱିଟ୍ କରି କହିଛନ୍ତି ଯେ, ଶେଷର ମାମଲା ତଦନ୍ତ ସିବିଆଇ କରିବ । ଅନ୍ୟପକ୍ଷରେ ଅଙ୍କିତା ଲୋଖଣ୍ଡେ ଲେଖିଛନ୍ତି ଯେ,ସତ୍ୟର ବିଜୟ ହେଲା । ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ବଲିଉଡର ଅନେକ ସେଲିବ୍ରିଟିଙ୍କ ପ୍ରତିକ୍ରିୟା ଆସିବାରେ ଲାଗିଛି ।

 

Leave a Reply