Sushant Singh Rajput case: ସୁପ୍ରିମକୋର୍ଟଙ୍କ ରାୟ ପରେ ନରମ ପଡିଲା ସଂଜୟଙ୍କ ସ୍ୱର

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ସିବିଆଇ କରିବ । ସୁପ୍ରିମକୋର୍ଟଙ୍କ ଏହି ଦୁଇ ପଦ ରାୟ ପରେ ଶିବସେନାର ବାକ୍ୟବୀର ସଂଜୟ ରାଉତଙ୍କ ପାଟି ଏବେ ଅଠାଅଠା । ଆଗରୁ ଗରମ ଦେଖାଉଥିବା ସଂଜୟ ଏବେ ପୁରା ନରମ । ସୁପ୍ରିମକୋର୍ଟଙ୍କ ରାୟ ସଂଜୟଙ୍କୁ ଥଣ୍ଡା କରିଦେଇଛି । ଅନ୍ୟପକ୍ଷରେ ବିଜେପି ନେତାଙ୍କୁ ସଂଜୟଙ୍କ ଉପରେ ଗରମ ହେବାର ମୌକା ଦେଇଛି ।

ସୁପ୍ରିମକୋର୍ଟଙ୍କ ସିବିଆଇକୁ ତଦନ୍ତ ପାଇଁ ସବୁଜ ସଂକେତ ପରେ ସଂଜୟ ସ୍ୱର ବଦଳାଇ କହିଛନ୍ତି, ମହାରାଷ୍ଟ୍ର ଏମିତି ଗୋଟିଏ ରାଜ୍ୟ ଯେଉଁଠି ଆଇନ୍ ସର୍ବୋପରି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ରାଜନୀତି କରିବା ଠିକ୍ ନୁହେଁ । ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ନିଜ ନିଷ୍ପତ୍ତି ଶୁଣାଇଛନ୍ତି ଓ ପୁରା ତଥ୍ୟ ଯେତେବେଳେ ଆମ ପାଖକୁ ଆସିବ ସେତେବେଳେ ସରକାରୀ ମୁଖପାତ୍ର ଏହି ମାମଲାରେ ବକ୍ତବ୍ୟ ରଖିବେ । ତେବେ ସଂଜୟ ରାଉତଙ୍କୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି କେମିତି ଝଟକା ଦେଇଛି ତାହା ଏଥିରୁ ଜଣା ପଡୁଛି ଯେ, ସେ ଅନେକ ପ୍ରଶ୍ନକୁ ଏଡାଇ ଯାଇଥିଲେ ।

‘ମୋ ପକ୍ଷରେ ଏହା ଉପରେ କିଛି କହିବା ଠିକ୍ ନୁହେଁ’

ସୁଶାନ୍ତଙ୍କ ପିତାଙ୍କ ଦୁଇ ବିବାହକୁ ନେଇ ବୟାନ ଦେଇ ପାରୁଥିବା ସଂଜୟ ରାଉତ ଆଜି କହିଛନ୍ତି ଯେ,ଏହା ଉପରେ ମୁମ୍ବାଇ ପୋଲିସ କମିଶନର କିମ୍ବା ଆଡଭୋକେଟ୍ ଜେନରାଲ କିଛି କହିପାରିବେ,ମୋ ପକ୍ଷରେ ଏହା ଉପରେ କିଛି କହିବା ଠିକ୍ ହେବ ନାହିଁ ।

‘କଥା ଦିଲ୍ଲୀ ପର୍ଯ୍ୟନ୍ତ ଯିବ’

ସଂଜୟ ନରମ ପଡିଛନ୍ତି କିନ୍ତୁ ବିଜେପିର କିରିଟ୍ ସୋମେୟା ଗରମ ଅଛନ୍ତି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ କିରିଟ୍ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଇସ୍ତଫା ଦାବି କରିଥିଲେ । ଏହା ଉପରେ ସଂଜୟ କହିଛନ୍ତି ଯେ, ’’ ଇସ୍ତଫା କଥା ଉଠାଇବା ଠିକ୍ ନୁହେଁ । ଇସ୍ତଫା ପ୍ରସଙ୍ଗ ଉଠିଲେ କଥା ଦିଲ୍ଲୀ ପର୍ଯ୍ୟନ୍ତ ଯିବ’’

‘ରାଜନୀତି ବନ୍ଦ ହେଉ’

ସୁଶାନ୍ତ ସିଂହ ମୃତ୍ୟୁ ପ୍ରସଙ୍ଗରେ ଏଣୁତେଣୁ ବୟାନ ଦେଇଥିବା ସଂଜୟ ଏବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ରାଜନୀତି ନକରିବାକୁ ବିରୋଧୀଙ୍କୁ ଗୁରୁଜ୍ଞାନ ଦେଇଛନ୍ତି । ସେ କହିଛନ୍ତି ଯେ,ସୁଶାନ୍ତ ସିଂହ ରାଜପୁତ ମାମଲାରେ ଆରମ୍ଭରୁ ରାଜନୀତି ଚାଲୁଛି । ଏବେ ଏହା ଉପରେ ରାଜନୀତି ବନ୍ଦ ହେବାର ଆବଶ୍ୟକତା ରହିଛି । ସରକାର ସର୍ବୋଚ୍ଚ ଅଦାଲତଙ୍କ ଆଦେଶ ପଢିବା ପରେ ନିଜ ପକ୍ଷ ରଖିବେ’

ସୁଶାନ୍ତଙ୍କ ପରିବାରକୁ ଧମକ ଦେଇ ଚୁପଚାପ ବସିବାକୁ କହିଥିଲେ

ସୁଶାନ୍ତଙ୍କ ପିତାଙ୍କୁ ନେଇ ସଂଜୟ ରାଉତ ବିବାଦୀୟ ବୟାନ ଦେଇଥିଲେ । ଏହାକୁ ନେଇ ବିରୋଧ ମଧ୍ୟ ହୋଇଥିଲା । ତେବେ କ୍ଷମା ମାଗିବା ବଦଳରେ ସଂଜୟ ଧମକ ଦେଲାଭଳି ସ୍ୱରରେ ଚୁପ ବସିବାକୁ କହିଥିଲେ । ନିକଟରେ ସେ କହିଥିଲେ ଯେ, ମୁମ୍ବାଇ ପୋଲିସ ମାମଲାର ତଦନ୍ତ ପ୍ରାୟ ଶେଷ କରିସାରିଲାଣି । ଏମିତିରେ ସୁଶାନ୍ତଙ୍କ ପରିବାର କ’ଣ ଚାହୁଁଛନ୍ତି ? ସେମାନେ ଚୁପଚାପ୍ ବସନ୍ତୁ ।

Leave a Reply