ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦାବି, ‘ବିଜୁଙ୍କୁ ମିଳୁ ଭାରତ ରତ୍ନ’

ଭୁବନେଶ୍ୱର: ପୁଣି ଉଠିଲା ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ ଦାବି । ବିଜୁବାବୁଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ଦଳମତ ନିର୍ବିଶେଷରେ ମତ ପ୍ରକାଶ ପାଇଛି । ଏଥିପାଇଁ ବିଜେଡି, କଂଗ୍ରେସ ଓ ବିଜେପି ଦାବି କରିଛନ୍ତି । ଆସନ୍ତା ୫ ତାରିଖରେ ପ୍ରବାଦ ପୁରୁଷ ବିଜୁବାବୁଙ୍କର ୧୦୫ତମ ଜୟନ୍ତୀ । ଏହି ଅବସରରେ ତାଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଦାବି କରିଛନ୍ତି ।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ବିଜୁବାବୁ କେବଳ ଜଣେ ରାଜନେତା ନଥିଲେ, ସେ ଜଣେ ଷ୍ଟେଟ୍‌ସମ୍ୟାନ । ଦେଶର ସ୍ୱାଧୀନତା ପାଇଁ ତାଙ୍କର ଅତୁଳନୀୟ ଅବଦାନ ଅଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିଜୁବାବୁଙ୍କ କାମ କୌଣସି ପିଢ଼ି ଭୁଲି ପାରିବେ ନାହିଁ । ଭାରତରତ୍ନ ପାଇବା ପାଇଁ ସେ ଯୋଗ୍ୟ । ତେଣୁ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ପ୍ରତ୍ୟେକ ଓଡ଼ିଆଙ୍କ ପକ୍ଷରୁ ଦାବି କରୁଛି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।

ଏହାସହ ବିଜେଡି ବିଧାୟକ ଅରବିନ୍ଦ ଢାଲି ମଧ୍ୟ ବିଜୁବାବୁଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ଦାବି କରିଛନ୍ତି । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଓଡ଼ିଶାର ବିକାଶ ପାଇଁ ବିଜୁବାବୁଙ୍କ ଅବଦାନ ଅତୁଳନୀୟ। ସାରା ବିଶ୍ୱ ତାଙ୍କୁ ଜାଣିଛି । ଆମେ ବିଜେପିରେ ବି ତାଙ୍କ କଥା ଆଲୋଚନା କରୁ। ସେ ଭାରତରତ୍ନ ପାଇବା ଉଚିତ। କେନ୍ଦ୍ର ସରକାରଙ୍କ ପାଖରେ ଏନେଇ ଦୃଢ଼ ଦାବି କରାଯାଉ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି । ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ପ୍ରବାଦ ପୁରୁଷ ବିଜୁବାବୁ ଓଡ଼ିଶା ଓ ଦେଶର ଗର୍ବ। ଦଳମତ ନିର୍ବିଶେଷରେ ତାଙ୍କ ପାଇଁ ଭାରତରତ୍ନ ଦାବି କରିବା ଉଚିତ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ।

 

Leave a Reply