ପଞ୍ଚଭୂତରେ ବିଲୀନ ହେଲେ ସୂର୍ଯ୍ୟ

ଦିଗପହଣ୍ଡି: ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର। ବରିଷ୍ଠ ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି ।  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର କପାମଣ୍ଡି ନିକଟରେ ଶୋକାକୁଳ ପରିବେଶରେ ଚିରକାଳ ପାଇଁ ବିଦାୟ ନେଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର । ଗାର୍ଡ ଅଫ ଅନର ଦିଆଯିବା ପରେ ପୁଅ ବିପ୍ଳବ ପାତ୍ର ମୁଖାଗ୍ନି ଦେଇଥିଲେ । ସକାଳେ ଭୁବନେଶ୍ବରରେ ଶେଷ ଦର୍ଶନ ପରେ ସୂର୍ଯ୍ୟଙ୍କ ପାର୍ଥିବ ଶରୀରକୁ ବ୍ରହ୍ମପୁର ଅଭିମୁଖେ ନିଆଯାଇଥିଲା  । ବ୍ରହ୍ମପୁରରେ ଶେଷ ଶୋଭାଯାତ୍ରାରେ ହଜାର ହଜାର ଲୋକ ସେମାନଙ୍କ ପ୍ରିୟ ନେତାଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ  ।  ଲାଞ୍ଜିପଲ୍ଲୀ ବାଇପାସ୍‌, କମାପଲ୍ଲୀ, ଟାଟାବେଞ୍ଜ୍‌ ଛକ, ଖଲ୍ଲିକୋଟ କଲେଜ ରୋଡ୍, ପି.ଭି.ଏନ. ପେଟ୍ରୋଲ ଟ୍ୟାଙ୍କ୍‌, ସିଟି ହସ୍ପିଟାଲ, ଗେଟ ବଜାର, ଆସିକା ରୋଡ୍‌ ଦେଇ ଦିଗପହଣ୍ଡିରେ ପହଞ୍ଚିଥିଲା ଶବ ଶୋଭାଯାତ୍ରା  । ଦିଗପହଣ୍ଡି ବିଜେଡି କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ନେତା, କର୍ମୀ ଓ ସାଧାରଣ ଲୋକ । ପରେ କପାମଣ୍ଡି ପାର୍ଶ୍ବରେ ଥିବା ସୂର୍ଯ୍ୟନାରାୟଣଙ୍କ ପୈତୃକ ସ୍ଥାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅନ୍ତିମ ସଂସ୍କାର ସମୟରେ ହଜାର ହଜାର ଲୋକ ଉପସ୍ଥିତ ରହି ସୂର୍ଯ୍ୟଙ୍କୁ ଅନ୍ତିମ ବିଦାୟ ଦେଇଥିଲେ  ।