ଧାମନଗର ଉପନିର୍ବାଚନ: ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ

1 min read

ଭୁବନେଶ୍ୱର:  ଧାମନଗର ଉପନିର୍ବାଚନ ପାଇଁ ବିଜେପି ଘୋଷଣା କଲା ପ୍ରାର୍ଥୀ  । ଦିବଙ୍ଗତ ବିଧାୟକ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଛି ବିଜେପି  । ନଭେମ୍ବର ୩ରେ ଧାମନଗରରେ ଉପ-ନିର୍ବାଚନ ହେବାକୁ ଥିବାବେଳେ ଆଜି ବିଜେପି ପ୍ରାର୍ଥୀ ଘୋଷଣା କରି ମୈଦାନକୁ ଓହ୍ଲାଇଛି  । ଭ୍ରଦକର ସମସ୍ତ ଆସନରେ ଶାସକ ବିଜୁ ଜନତା ଦଳ ବିଜୟର ଟିକା ପିନ୍ଧିଥିବାବେଳେ କେବଳ ଧାମନଗର ଟି ବିଜେପି ହାତକୁ ଯାଇଥିଲା  ।

ବିଜେପିର କେନ୍ଦ୍ରୀୟ କମିଟି ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କ ନାମରେ ମୋହର ମାରିଥିବାବେଳେ ଦଳର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି  । ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ଧାମନଗର ବିଧାନସବା ଆସନ  । କେନ୍ଦ୍ରୀୟ ନିର୍ବାଚନ ଆୟୋଗ ନଭେମ୍ବର ୩ରେ ନିର୍ବାଚନ ଅନୁଷ୍ଠିତ ହେବା ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ  । ଏଥିସହିତ ନଭେମ୍ବର ୬ରେ ଭୋଟ ଗଣତି ହେବା ନେଇ ତାରିଖ ଘୋଷଣା କରିଥିଲେ  ।