ବେଆଇନ ଅନଲାଇନ ବେଟିଂ ମାମଲା : ଇଡିରେ ହାଜର ହେଲେ ରୈନା
1 min read
ନନ୍ଦିଘୋଷ ବ୍ୟୁରୋ: ବେଆଇନ ଅନଲାଇନ ବେଟିଂ ମାମଲା। ଦିଲ୍ଲୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରୈନା। ବେଆଇନ ଅର୍ଥ କାରବାର ମାମଲାରେ ରୈନାଙ୍କୁ ଜେରା କରିଛି ଇଡି। ବେଟିଂ ମାମଲାରେ ସମ୍ପୃକ୍ତ ଥିବାରୁ ହାଜର ହେବା ଲାଗି ସମନ ଜାରି କରିଥିଲା ଇଡି। ଗତବର୍ଷ ଆଇପିଏଲ କ୍ରିକେଟ ମ୍ୟାଚ ବେଳେ ବେଆଇନ ବେଟିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ବିଭିନ୍ନ ଅଭିଯୁକ୍ତଙ୍କର ୩୩୭ କୋଟି ଟଙ୍କାର ସମ୍ପତ୍ତି ଆଟାଚ କରିଥିଲା ଇଡି। ଅନଲାଇନ ପ୍ଲାଟଫର୍ମ ଫେୟାରପ୍ଲେ ଜରିଆରେ ବେଆଇନ ବେଟିଂ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ପ୍ଲାଟଫର୍ମ ଜରିଆରେ କେତେକ ନିର୍ଦ୍ଦେଶକ ବେଆଇନ ଭାବେ ଆଇପିଏଲ ମ୍ୟାଚର ବ୍ରଡକାଷ୍ଟିଂ କରିଥିବା ସହ ବିଭିନ୍ନ ବେଆଇନ ବେଟିଂ କାର୍ଯ୍ଯକଳାପରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲା।
ଅନଲାଇନ ବେଟିଂ ଆପ୍ ଫେୟାରପ୍ଲେ ଓ ଏହାର ପ୍ରମୋଟରମାନଙ୍କ ରାଜସ୍ଥାନ ଆଜମେର, ଗୁଜରାଟ କଚ୍ଛ, ମହାରାଷ୍ଟ୍ରର ମୁମ୍ବାଇ ଓ ଠାଣେରେ ଥିବା ୨୧୯ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଆଟାଚ କରିଥିଲା ଇଡି। 1 X BET ବେଟିଂ ପ୍ଲାଟଫର୍ମ ସହ ବେଆଇନ ସମ୍ପୃକ୍ତ ଥିବା ଅଭିଯୋଗରେ ସୁରେଶ ରୈନାଙ୍କ ବିରୋଧରେ ନୋଟିସ ଜାରି କରିଥିଲା ଇଡି। ଏହି ପ୍ଲାଟଫର୍ମଗୁଡିକ ବିଭିନ୍ନ ସରକାରୀ ନିୟମ ଉଲ୍ଲଂଘନ କରି ଚାଲିଥିଲା। ଏହି ବେଆଇନ ଆପ ସହ ଦେଶର ପ୍ରାୟ ୨୨ କୋଟି ୟୁଜର ସମ୍ପର୍କରେ ଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୧୧ କୋଟି ୟୁଜର ନିୟମିତ ୟୁଜର। ୨୦୨୫ର ପ୍ରଥମ ୩ ମାସରେ ବେଆଇନ ବେଟିଂ ୱେବସାଇଟ ଓ ଆପଗୁଡିକୁ ପ୍ରାୟ ୧୬୦ କୋଟି ଥର ବ୍ୟବହାର କରିଥିଲେ ୟୁଜର। ଭାରତରେ ଅନଲାଇନ ବେଟିଂ ମାର୍କେଟର ପରିମାଣ ହେଉଛି ପ୍ରାୟ ୧୦୦ ନିୟୁତ ଡଲାର। ଏହି ଆପ୍ ଜରିଆରେ ବାର୍ଷିକ ୨୭ ହଜାର କୋଟି ଟଙ୍କାର କର ଠକେଇ କରାଯାଇଥାଏ।