ବିଦ୍ରୋହର ଅନ୍ୟନାମ ସୁରେନ୍ଦ୍ର; ବ୍ରିଟିଶ ବିରୋଧରେ ଜାଳିଥିଲେ ବହ୍ନି

ଆଜି ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ । ଜାନୁଆରୀ ୨୩, ୧୮୦୯ ମସିହାରେ ବୀର ସୁରେନ୍ଦ୍ର ସାଏ ସମ୍ବଲପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ବ୍ରିଟିଶ୍‌ ଶାସନକୁ ଲୋପ କରି ସମ୍ବଲପୁରର ପାରମ୍ପରିକ ଶାସକଙ୍କୁ କ୍ଷମତାସୀନ କରାଇବାରେ ସୁରେନ୍ଦ୍ର ସାଏଙ୍କ ପ୍ରମୁଖ ଭୂମିକା ଥିଲା । ବ୍ରିଟିଶ୍‌ ସରକାରଙ୍କ ବିରୁଦ୍ଧରେ ଲୋକଙ୍କୁ ମତାଇବାରେ ସୁରେନ୍ଦ୍ର ସାଏଙ୍କର ଗୁରୁତ୍ବ ରହିଥିଲା । ପଶ୍ଚିମ ଓଡିଶା ରୁ ବ୍ରିଟିଶ ସରକାରଙ୍କ ପତନ ପାଇଁ ତାଙ୍କର ରହିଥିଲା ଉଲ୍ଲେଖନୀୟ ଅବଦାନ ।

ସମ୍ବଲପୁର ସହରର ଉତ୍ତରକୁ ପ୍ରାୟ ୨୧ ମାଇଲ ଦୂରରେ ଅବସ୍ଥିତ ବରଗାଁ ବା ଖିଣ୍ଡା ଗ୍ରାମରେ ଚୌହାନ ରାଜବଂଶର ଧରମ ସିଂହ ଓ ରେବତୀ ଦେବୀଙ୍କ ଔରସରୁ ସୁରେନ୍ଦ୍ର ସାଏ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଛଅ ଭାଇ ଓ ଜଣେ ଭଉଣୀ ଥିଲେ । ପିତା ଧରମ ସିଂହଙ୍କ ମୃତ୍ୟୁ ପରେ କାକା ବଳରାମ ସିଂହଙ୍କ ତତ୍ତ୍ୱାବଧାନରେ ଘୋଡ଼ା ଚଢ଼ା, ଖଣ୍ଡା ଓ ତୀରଚାଳନା ସମେତ ଅନ୍ୟାନ୍ୟ ପ୍ରଶିକ୍ଷଣ ନେଇଥିଲେ । ସୁରେନ୍ଦ୍ର ସାଏ ଗାଙ୍ଗପୁର ରାଜ୍ୟର ହାତିବାରୀ ଜମିଦାରଙ୍କ କନ୍ୟା ସୁବର୍ଣ୍ଣକୁମାରୀଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁତ୍ର ‘ମିତ୍ରଭାନୁ ସାଏ’ ଓ ଗୋଟିଏ କନ୍ୟା ଥିଲେ ।

ମରହଟ୍ଟାମାନଙ୍କ ହାତରେ ବନ୍ଦୀ ହୋଇଥିବା ସମ୍ବଲପୁର ରାଜା ଓ ତାଙ୍କ ପୁତ୍ର ମହାରାଜ ସାଏଙ୍କୁ ମୁକ୍ତ କରିବା ପାଇଁ ରାଣୀ ରତନ କୁମାରୀ ଇଂରେଜମାନଙ୍କ ସହାୟତା ଲୋଡ଼ିଥିଲେ । ୧୮୦୪ ମସିହାରେ ଲେଫ୍ଟେନାଣ୍ଟ ବ୍ରାଉଟନ ମରହଟ୍ଟାମାନଙ୍କ କବଳରୁ ରାଜା ଓ ତାଙ୍କ ପିତାଙ୍କୁ ମୁକ୍ତ କରିଥିଲେ । ମରହଟ୍ଟା ସାମ୍ରାଜ୍ୟର ପତ୍ତନ ପରେ ସମ୍ବଲପୁର ଏକପ୍ରକାର ଇଂରେଜମାନଙ୍କ ନିୟନ୍ତ୍ରଣକୁ ଚାଲିଆସିଥିଲା । ୧୮୨୭ ମସିହାରେ ସମ୍ବଲପୁରର ରାଜା ମହାରାଜା ସାଏ ଅପୁତ୍ରିକ ହୋଇ ମୃତ୍ୟୁବରଣ କଲେ ।

ମହାରାଜା ସାଏଙ୍କ ଉତ୍ତରାଧିକାରୀ କିଏ ହେବ ତାହା ନିରୂପଣ କରିବା କ୍ଷମତା ଇଂରେଜ ସରକାର ନିଜ ହାତକୁ ନେଲେ । ରାଜଗାଦି ଦାବି କରିଥିବା ବହୁ ବ୍ୟକ୍ତଙ୍କିୁ ଉପେକ୍ଷା କରି ବିଧବା ରାଣୀ ମୋହନ କୁମାରୀଙ୍କ ହାତରେ ଶାସନ ଦାୟିତ୍ୱ ନ୍ୟସ୍ତ କଲେ । ସେହି କାରଣରୁ ବହୁ ଆଦିବାସୀ ଜମିଦାର ବିଦ୍ରୋହ କରିଥିଲେ । ବଳରାମ ସାଏ ଓ ସୁରେନ୍ଦ୍ର ସାଏ ଏହି ବିପ୍ଲବର ନେତୃତ୍ୱ ନେଇଥିଲେ ।

ପ୍ରକୃତ ପକ୍ଷେ ସମ୍ବଲପୁର ରାଜବଂଶର ସୁରେନ୍ଦ୍ର ସାଏ ରାଜଗାଦି ଲାଭ କରିବା କଥା, ମାତ୍ର ଇଂରେଜମାନେ ଜାଣିଥିଲେ ସୁରେନ୍ଦ୍ର ସାଏ କେବେ ହେଲେ ତାଙ୍କର ଅନୁଗାମୀ ହେବେ ନାହଁ । ତେଣୁ ରାଣୀ ମୋହନ କୁମାରୀ ରାଜ୍ୟ ଶାସନ ପରିଚାଳନା କରିବା ପ୍ରତିବାଦରେ ସମ୍ବଲପୁର ଅଞ୍ଚଳରେ ବିଦ୍ରୋହର ବହ୍ନି ଜଳି ଉଠିଥିଲା । ପରବର୍ତ୍ତା ସମୟରେ ବିଦ୍ରୋହର ଆହ୍ୱାନ ଦେଇ ସୁରେଦ୍ର ସାଏ, ବ୍ରଟିଶକୁ ନିଜ ଗଡ଼ରୁ ତଡିବାରେ ସକ୍ଷମ ହୋଇଥିଲେ ।

Leave a Reply