spot_img

Latest Posts

ବିଚାରପତିଙ୍କ ଘରୁ ବିପୁଳ ଟଙ୍କା ଜବତ ଘଟଣା: ସୁପ୍ରିମକୋର୍ଟଙ୍କ ପକ୍ଷରୁ ଜାରି ହେଲା ଭିଡିଓ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ହାଇକୋର୍ଟର ବିବାଦୀୟ ଜଷ୍ଟିସ ଯଶୋଓ୍ବନ୍ତ ବର୍ମାଙ୍କ ଘର ଭିତରର ଆସିଲା ଭିଡିଓ। ଭିଡିଓରେ ଅଧାପୋଡ଼ା ଟଙ୍କା ଦେଖିବାକୁ ମିଳୁଛି। ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୋଓ୍ବନ୍ତ ବର୍ମାଙ୍କ ଘରେ ଏତେ ପରିମାଣର କ୍ଯାସ କେଉଁଠୁ ଆସିଲା ଏହା ତନାଘନା କରିବାକୁ କମିଟି ଗଠନ କରାଯାଇଛି। ସୁପ୍ରିମକୋର୍ଟ ପକ୍ଷରୁ ଜାରି ହୋଇଛି ଜଷ୍ଟିସ ଯଶୋଓ୍ବନ୍ତ ବର୍ମାଙ୍କ ଘରର ଯାଞ୍ଚ ବେଳର ଭିଡିଓ। ଘର ଭିତରେ ୪ରୁ ୫ ଅଖା ଟଙ୍କା ଅଧା ଜଳା ଅବସ୍ଥାରେ ମିଳିଛି। ଏହି ଭିଡିଓକୁ ସୁପ୍ରିମକୋର୍ଟ ନିଜର ୱେବସାଇଟରେ ଜାରି କରିଛି। ଏହାସହ ମାମଲାରେ ଜଡ଼ିତ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ରିପୋର୍ଟକୁ ସାର୍ବଜନୀନ କରାଯାଇଛି। ଜଷ୍ଟିସ ବର୍ମା ଦେଇଥିବା ରିପୋର୍ଟ ମଧ୍ୟ ସାର୍ବଜନୀନ କରାଯାଇଛି।

ଏହାସହ ଜାରି କରାଯାଇଥିବା ଏକ ରିପୋର୍ଟରେ ଅଧାଜଳା ଟଙ୍କା ବିଷୟରେ କୁହାଯାଇଛି। ଜଷ୍ଟିସ ବର୍ମାଙ୍କ ଘରେ ଲାଗିଥିବା ନିଆଁ ଆୟତ୍ତକୁ ଆସିଥିବାବେଳେ ୪ରୁ ୫ ଅଖା ଭର୍ତ୍ତି ଟଙ୍କା ଅଧା ପୋଡ଼ା ଅବସ୍ଥାରେ ମିଳିଥିବା କୁହାଯାଇଛି। ସେପଟେ ଜଷ୍ଟିସ ବର୍ମାଙ୍କ ବିରୋଧରେ ତଦନ୍ତ ଲାଗି ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏକ ୩ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିର ଅଧ୍ୟକ୍ଷ ଅଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ଯ ବିଚାରପତି ଜଷ୍ଟିସ ଶୀଲ ନାଗୁ। ଏଥିରେ ସଦସ୍ୟ ଅଛନ୍ତି ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ଯ ବିଚାରପତି ଜିଏସ ସାନ୍ଧେୱାଲିଆ ଓ କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଅନୁ ଶିବରମଣ।

ଜଷ୍ଟିସ ଯଶବନ୍ତ କୌଣସି ନ୍ୟାୟିକ ଦାୟିତ୍ବ ତୁଲାଇବେ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ରିପୋର୍ଟ ପ୍ରଦାନ କରିଛନ୍ତି। ସେପଟେ ଖୋଲିବାରେ ଲାଗିଛି ବିଚାରପତି ଯଶବନ୍ତଙ୍କ ଅତୀତର କାରନାମା। କେତେକ ଠକେଇ, ଦୁର୍ନୀତି ଓ ଅପରାଧିକ ଷଡ଼ଯନ୍ତ୍ର ଘଟଣାରେ ସେ ସମ୍ପୃକ୍ତ ଥିବା ସିବିଆଇ ଏଫଆଇଆରରେ ଦର୍ଶାଯାଇଥିଲା ।

 

Latest Posts

Don't Miss