ସମଲିଙ୍ଗୀ ବିବାହ ମାମଲା: ଆଜି ରିଭ୍ଯୁ ପିଟିସନର ବିଚାର କରିବେ ସୁପ୍ରିମକୋର୍ଟ
1 min readନନ୍ଦିଘୋଷ ବ୍ୟୁରୋ: ସମଲିଙ୍ଗୀ ବିବାହ ମାମଲା । ଆଜି ଏସଂକ୍ରାନ୍ତ ବିଭିନ୍ନ ରିଭ୍ଯୁ ପିଟିସନର ବିଚାର କରିବେ ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ । ସୁପ୍ରିମକୋର୍ଟଙ୍କ ସମ୍ଭାବ୍ଯ ନିଷ୍ପତ୍ତି ଉପରେ ରହିଛି ଏଲଜିବିଟିକ୍ୟୁଆଇଏଙ୍କ ନଜର । ଗତ ଜୁଲାଇ ୨୦୨୪ରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଏହି ଖଣ୍ଡପୀଠରୁ ଅବ୍ୟାହତି ନେବା ସହ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ, ଜଷ୍ଟିସ ସଞ୍ଜୟ କୌଲ, ରବୀନ୍ଦର ଭଟ ଓ ହିମା କୋହଲି ଅବସର ନେବା ପରେ ଏହି କମିଟିକୁ ପୁନର୍ଗଠିତ କରାଯାଇଥିଲା । ନୂଆ କମିଟିରେ ସଦସ୍ଯମାନେ ହେଉଛନ୍ତି ଜଷ୍ଟିସ ଭୂଷଣ ଗଭାଇ, ସୂର୍ଯ୍ୟ କାନ୍ତ, ବି.ଭି. ନାଗରତ୍ନା, ପିଏସ ନରସିଂହ୍ମା ଓ ଦୀପଙ୍କର ଦତ୍ତ । ଏହି ଗୁରୁତ୍ବପୂର୍ଣ୍ଣ ମାମଲାକୁ କେବଳ ଖଣ୍ଡପୀଠ ସ୍ତରରେ ସମୀକ୍ଷା କରାଯିବ । ଆବଶ୍ଯକ ପଡିଲେ ଏହାର ଶୁଣାଣି ଖୋଲା କୋର୍ଟରେ ହୋଇପାରେ । ଗତ ୨୦୨୩ ଅକ୍ଟୋବର ୧୭ର ରାୟରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ଯତା ଦେବାକୁ ଖଣ୍ଡପୀଠ ଅଗ୍ରାହ୍ୟ କରିଥିଲେ ।
ଏହା ସହ ଏହି ପ୍ରସଙ୍ଗରେ ସଂସଦ ଓ ରାଜ୍ଯ ବିଧାନସଭା ନିଷ୍ପତ୍ତି ନିଅନ୍ତୁ ବୋଲି କହିଥିଲେ ଖଣ୍ଡପୀଠ । ୨୦୨୩ ଅକ୍ଟୋବର ୧୭ ରାୟରେ ୫ ଜଣିଆ ଖଣ୍ଡପୀଠରୁ ୩ ଜଣ ଅର୍ଥାତ ଜଷ୍ଟିସ ଭଟ୍ଟ, କୋହଲି ଓ ନରସିହ୍ମା ସମଲିଙ୍ଗୀ ବିବାହକୁ ବିରୋଧ କରିଥିବାବେଳେ ୨ ଜଣ ଅର୍ଥାତ ଜଷ୍ଟିସ ଚନ୍ଦ୍ରଚୂଡ଼ ଓ କୌଲ ସମର୍ଥନ କରିଥିଲେ । ସମଲିଙ୍ଗୀ ବିବାହ ଓ ସେହି ଦମ୍ପତି ପୋଷ୍ୟସନ୍ତାନ ଗ୍ରହଣ କରିବା ଏକ ସାମ୍ବିଧାନିକ ଅଧିକାର ବୋଲି ଏହି ଦୁଇ ଜଣ ମତ ଦେଇଥିଲେ । ସମଲିଙ୍ଗୀ ବିବାହ ଏକ ସାମ୍ବିଧାନିକ ଅଧିକାର ଦର୍ଶାଇ ସୁପ୍ରିମକୋର୍ଟରେ କେତେକ ପିଟିସନ ଦାୟର ହୋଇଥିଲା ।
ପିଟିସନରକାରୀମାନେ କହିଛନ୍ତି- ୨୦୧୮ରେ ନବତେଜ ସିଂ ଜୋହର ବନାମ କେନ୍ଦ୍ର ସରକାର ଏବଂ ୨୦୧୪ରେ ନଲସା ବନାମ କେନ୍ଦ୍ର ସରକାର ମାମଲାରେ ଏଲଜିବିଟିକ୍ୟୁଆଇଏ ସମ୍ପର୍କରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁସାରେ ଏହି ମାମଲାର ପୁନର୍ବିଚାର କରାଯାଉ । ନବତେଜ ସିଂ ମାମଲାରେ ସୁପ୍ରିମକୋର୍ଟ ଦୁଇ ଜଣ ବୟସ୍କଙ୍କ ସହମତିଭିତ୍ତିକ ଯୌନ ସମ୍ପର୍କ ଅପରାଧ ନୁହେଁ ବୋଲି କହିଥିଲେ । ସେହିପରି ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ ବା ନାଲସା ମାମଲାରେ ସୁପ୍ରିମକୋର୍ଟ କହିଥିଲେ- ଟ୍ରାନ୍ସଜେଣ୍ଡରମାନେ ହେଉଛନ୍ତି ତୃତୀୟ ଲିଙ୍ଗୀ ଏବଂ ଲିଙ୍ଗଗତ ସମାନତା ଓ ଆତ୍ମସମ୍ମାନ ସେମାନଙ୍କ ମୌଳିକ ଅଧିକାର ।