ପାରିବାରିକ ହିଂସା ନେଇ ପୀଡ଼ିତାଙ୍କୁ ସହାୟତା ଲାଗି ସୁପ୍ରିମକୋର୍ଟଙ୍କ ଗାଇଡଲାଇନ
1 min read
ନନ୍ଦିଘୋଷ ବ୍ୟୁରୋ : ପାରିବାରିକ ହିଂସା ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ପାରିବାରିକ ହିଂସାର ଶିକାର ମହିଳାଙ୍କୁ ସହାୟତା ଲାଗି ଆସନ୍ତା ୬ ସପ୍ତାହ ମଧ୍ୟରେ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଏହା ସହ ପାରିବାରିକ ହିଂସା ଆଇନର କାର୍ଯ୍ୟକାରିତା ଲାଗି କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସମସ୍ତ କ୍ଷେତ୍ରରେ ଆଇନର ସଫଳ କାର୍ଯ୍ୟକାରିତା ଦିଗରେ ଯତ୍ନବାନ ହେବା ଲାଗି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି । ଦୁଇ ଦଶନ୍ଧିରୁ ଅଧିକ କାଳ ଧରି ଏହି ଆଇନ ରହିଥିଲେ ବି ଏହି ଆଇନର କାର୍ଯ୍ୟକାରିତା ସଫଳ ଭାବେ ପ୍ରତିଫଳିତ ହୋଇପାରିନାହିଁ ବୋଲି କହିଛନ୍ତି ଅଦାଲତ । ଗତ ମେ ୨୦ ତାରିଖରେ ଜଷ୍ଟିସ ବି. ଭି. ନାଗରତ୍ନା ଓ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତି ଦେବା ଉପରେ ଗୁରୁତ୍ବ ଦେଇଥିଲେ। ସୁପ୍ରିମକୋର୍ଟ ଯେଉଁ ୭ଟି ନିର୍ଦ୍ଦେଶ ଦେଇଛନ୍ତି ସେଗୁଡିକ ହେଲା- ସୁରକ୍ଷା ଅଧିକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ନିଯୁକ୍ତି ଦେବା। ଆସନ୍ତା ୬ ସପ୍ତାହ ମଧ୍ୟରେ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତି ଦେବା। ପାରିବାରିକ ହିଂସା ପୀଡ଼ିତଙ୍କ ଲାଗି ରହିଥିବା ବ୍ୟବସ୍ଥା ନେଇ ସଚେତନତା କରିବା। ପାରିବାରିକ ହିଂସା ଆଇନର ଧାରା ୧୧ର ସଫଳ କାର୍ଯ୍ୟକାରିତା। ପାରିବାରିକ ହିଂସାପୀଡ଼ିତଙ୍କ ଲାଗି ମାଗଣା ଆଇନ ସୁବିଧା। ରାଜ୍ୟ ଓ ଜିଲ୍ଲାସ୍ତରରେ ସଦସ୍ୟ ସଚିବମାନଙ୍କ ଭୂମିକାର ଗୁରୁତ୍ବ। ପୀଡ଼ିତାଙ୍କ ଲାଗି ଆଶ୍ରୟସ୍ଥଳୀ ବ୍ୟବସ୍ଥାକୁ ସୁଗମ କରିବା।