ବଢିଲା କେନ୍ଦ୍ର ସରକାରଙ୍କ ଅଡୁଆ, ଅରୁଣ ଗୋଏଲଙ୍କ ନିଯୁକ୍ତି ଉପରେ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

1 min read

ନୂଆଦିଲ୍ଲୀ: ବଢିଲା କେନ୍ଦ୍ର ସରକାରଙ୍କ ଅଡୁଆ । ନିର୍ବାଚନ କମିଶନର ଭାବେ ଅରୁଣ ଗୋଏଲଙ୍କ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ । ନିଯୁକ୍ତି ସମ୍ପର୍କିତ ସମସ୍ତ ଫାଇଲ ଦାଖଲ କରିବା ଲାଗି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଆସନ୍ତାକାଲି ଏସଂକ୍ରାନ୍ତ ସମସ୍ତ ଫାଇଲ ଦାଖଲ ଲାଗି ଆଟର୍ଣ୍ଣି ଜେନେରା ଆର. ଭେଙ୍କଟରମଣୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ କେ.ଏମ. ଯୋଶେଫଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ । ଗତ ନଭେମ୍ବର ୧୯ ତାରିଖରେ ଅରୁଣଙ୍କୁ କମିଶନର ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ୨୧ ତାରିଖରେ ସେ ଦାୟିତ୍ବ ନେଇଥିଲେ । କୋର୍ଟ କହିଛନ୍ତି- ଏହି ନିଯୁକ୍ତି କିପରି ହେଲା ତାହା ଦେଖିବାକୁ ବାକି ରହିଛି । ଗତ ମେ ୨୨ରେ ସୁଶୀଲ ଚନ୍ଦ୍ରା ଅବସର ନେବା ପରେ ଇସିଆଇ ଭାବେ ଦାୟିତ୍ବ ନେଇଥିଲେ ରାଜୀବ କୁମାର ।

କମିଶନର ଭାବେ ଅନୂପ ଚନ୍ଦ୍ର ପାଣ୍ଡେଙ୍କୁ ନିଯୁକ୍ତି ଦିଆଯାଇଥିଲା । ଗତ ୧୯ତାରିଖରେ ଅରୁଣ ଗୋଏଲଙ୍କୁ ଅନ୍ୟତମ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା । ଅରୁଣ ଗୋଏଲଙ୍କ ନିଯୁକ୍ତି ନେଇ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ସମେତ ବିଭିନ୍ନ ମହଲରୁ ଆସିଥିବା ପିଟିସନର ଶୁଣାଣି କରିବା ପରେ କ୍ଷୁବ୍ଧ ହୋଇଥିଲେ କୋର୍ଟ । ପିଟିସନରେ ଅଭିଯୋଗ କରାଯାଇଥିଲା- ନିକଟରେ ଅବସର ନେଇଥିବା ଜଣେ ଆଇଏଏସ ଅଧିକାରୀଙ୍କୁ କେଉଁ ପରି ଭାବେ କମିଶନର କରାଯାଇଥିଲା? ଗତ ୧୭ ତାରିଖ ସୁଦ୍ଧା ଅରୁଣ ଜଣେ ସଚିବସ୍ତରୀୟ ଅଫିସର ଥିଲେ । ମାତ୍ର ହଠାତ ତାଙ୍କୁ ଗତ ଶୁକ୍ରବାର ଭିଆରଏସ ଦିଆଗଲା ଏବଂ ୧୯ ତାରିଖରେ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା ।

ଆସନ୍ତା ଡିସେମ୍ବର ୩୧ ତାରିଖରେ ଅବସର ନେଇଥାନ୍ତେ ୧୯୮୫ ପଞ୍ଜାବ କ୍ୟାଡରର ଆଇଏଏସ ଅଧିକାରୀ । ନିଜ ପସନ୍ଦ ଅନୁସାରେ କାର୍ଯ୍ୟରତ ବ୍ୟୁରୋକ୍ରାଟଙ୍କୁ ଯେପରି ନିର୍ବାଚନ କମିଶନରେ ଅବସ୍ଥାପିତ କରାଯାଉଛି, ତାହାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଅଦାଲତ । ସିଇସି ଓ ଇସି ଚୟନ ଓ ନିଯୁକ୍ତି କ୍ଷେତ୍ରରେ ଏକ ଆଇନ ଆଣିବା ଲାଗି ସମ୍ବିଧାନର ଧାର 324(2)ରେ ବ୍ୟବସ୍ଥା ରହିଥିଲେ ମଧ୍ୟ ଏହା କରାଯାଉନାହିଁ । ସମ୍ବିଧାନର ଏହି ବ୍ୟବସ୍ଥାକୁ ଜାଣିଶୁଣି ନିଜ ସ୍ବାର୍ଥ ସପକ୍ଷରେ ବ୍ୟବହାର କରାଯାଉଛି ବୋଲି କୋର୍ଟ କହିଛନ୍ତି । ଟିଏନ ଶେଷାନଙ୍କ ପରଠାରୁ ଦେଶରେ ସିଇସିମାନଙ୍କୁ ଖୁବ୍ କମ ସମୟ ଲାଗି ନିଯୁକ୍ତି କରାଯାଉଛି ଯାହା କି ଉଦବେଗଜନକ ବୋଲି କହିଥିଲେ କୋର୍ଟ ।