ଆସନ୍ତା ସପ୍ତାହରେ ’ଅଗ୍ନିପଥ ଯୋଜନା’ ଆବେଦନର ଶୁଣାଣି ପାଇଁ ରାଜି ହେଲେ ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଲୀ: ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ଅଗ୍ନିପଥକୁ ନେଇ ବିବାଦ ପରେ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଯୋଜନା ବିରୋଧରେ ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରିବେ । ଆବେଦନକାରୀଙ୍କ ଯୁକ୍ତି ହେଲା ଯେ, ଅଗ୍ନିପଥ ଯୋଜନାରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହି ଯୋଜନା ଦ୍ୱାରା ଅନେକ ଛାତ୍ରଙ୍କ ଭବିଷ୍ୟତ ବିପଦରେ ପଡ଼ିଛି ।

ବିଶେଷକରି ବାୟୁସେନା ପାଇଁ ପ୍ରସ୍ତୁତ ଯୁବକମାନଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଇଛି । ଆବେଦନକାରୀ କହିଛନ୍ତି ଯେ, ୨୦୧୭ ପରଠାରୁ ୭୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ଦିଆଯାଇଥିଲା । ଟ୍ରେନିଂ ପରେ ଛାତ୍ରମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ଏବେ ଅଗ୍ନିପଥ ଯୋଜନା କାର୍ଯ୍ୟକାରୀ କରାଗଲାଣି ।

ପୂର୍ବରୁ ମଧ୍ୟ ଅଗ୍ନିପଥ ଯୋଜନା ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରାଯାଇଥିଲା । ଗତମାସ ୨୦ ତାରିଖରେ ମଧ୍ୟ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ଏଥିରେ ଅଗ୍ନିପଥ ଯୋଜନା ନିଯୁକ୍ତି ସଂପର୍କରେ କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତିକୁ ବାତିଲ କରିବାକୁ ଦାବି ହୋଇଥିଲା । ସଂସଦର ଅନୁମୋଦନ ବିନା ଅଣାଯାଇଥିବା ଅଗ୍ନିପଥ ଯୋଜନା ଅସାମ୍ବିଧାନିକ ଓ ବେଆଇନ ବୋଲି ଆବେଦନକାରୀ ଦର୍ଶାଇଥିଲେ ।