spot_img

Latest Posts

ବହୁଚର୍ଚ୍ଚିତ ପେଗାସସ୍ ମାମଲା: ଆଜି ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି କରିବେ ଶୁଣାଣି

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ବହୁଚର୍ଚ୍ଚିତ ପେଗାସସ୍ ମାମଲାର ଶୁଣାଣି । ଜାସୁସୀ ମାମଲାରେ ଗଠିତ ତିନି ଜଣିଆ କମିଟିର ଅନ୍ତରୀଣ ତଦନ୍ତ ରିପୋର୍ଟ ସମ୍ପର୍କରେ ବିଚାର କରିପାରନ୍ତି କୋର୍ଟ । ସାରା ଦେଶରେ ଝଡ଼ ସୃଷ୍ଟି କରିଥିବା ପେଗାସସ୍ ମାମଲାରେ ବହୁ ରାଜନେତା, ବିରୋଧୀଦଳ ନେତା, ସଂଖ୍ୟାଲଘୁ ନେତା, ମନ୍ତ୍ରୀ, ସିବିଆଇର କିଛି ବରିଷ୍ଠ ଅଧିକାରୀ, ବିଚାରପତି, ସାମ୍ବାଦିକ, ସାମାଜିକ କର୍ମୀଙ୍କ ଫୋନ ହ୍ୟାକ ନେଇ ଗୁରୁତର ଅଭିଯୋଗ ଆସିବା ପରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆର.ଭି.ରବୀନ୍ଦ୍ରନଙ୍କୁ ନେଇ ଏକ ୩ ଜଣିଆ କମିଟି ଗଠିତ ହୋଇଥିଲା ।

୪୦୦ରୁ ଅଧିକ ବ୍ୟକ୍ତିଙ୍କ ଫୋନ ହ୍ୟାକ୍ ଅଭିଯୋଗ ପରେ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମଣାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଏହା ଏକ ଜଟିଳ ବିଷୟ ହୋଇଥିବାରୁ ଚୂଡ଼ାନ୍ତ ରିପୋର୍ଟ ଦାଖଲ ଲାଗି କମିଟି ଅଧିକ ସମୟ ବି ଚାହିଁପାରେ । ଇସ୍ରାଏଲ ନିର୍ମିତ ଏହି ସ୍ପାଏଓ୍ୱେର ହାସଲ କରାଯାଇଛି କି ନାହିଁ ସେ ସମ୍ପର୍କରେ ଦର୍ଶାଇବା ଲାଗି ଏହି କମିଟି ଗତ ଏପ୍ରିଲ ୧୮ରେ ସମସ୍ତ ରାଜ୍ୟର ପୋଲିସ ମୁଖ୍ୟଙ୍କୁ ଚିଠି ଲେଖିଥିଲେ ।

ପେଗାସସ୍ ମାମଲାରେ କୌଣସି ବେଆଇନ କାର୍ଯ୍ୟ କରାଯାଇନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଦେଇଥିଲେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ସଂସଦରେ ବାରମ୍ବାର ଝଡ଼ ସୃଷ୍ଟି ହୋଇଥିଲା । ଶେଷରେ ଏହି ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା । ଏନଏଓ ଗ୍ରୁପର ସ୍ପାଏଓ୍ୱେର ପେଗାସସ୍ ଜରିଆରେ ବେଆଇନ କାର୍ଯ୍ୟ କରାଯାଇଛି ବୋଲି ୧୨ଟି ପିଟିସନ ଦାୟର ହେବା ପରେ ଏହା ବ୍ୟକ୍ତିଗତ ଗୋପନୀୟତା ଅଧିକାରର ଉଲ୍ଲଂଘନ ଦର୍ଶାଇ ଘଟଣାର ସବିଶେଷ ତଦନ୍ତ କରିବା ଲାଗି ସୁପ୍ରିମକୋର୍ଟ ଗଠନ କରିଥିଲେ କମିଟି । ତେବେ ଏହି ଅଭିଯୋଗ ଭିତ୍ତିହୀନ ବୋଲି ନିଜ ସତ୍ୟପାଠରେ ଦର୍ଶାଇଥିଲେ କେନ୍ଦ୍ର ସରକାର ।

Latest Posts

Don't Miss