ମହାରାଷ୍ଟ୍ର ସଙ୍କଟ: ସନ୍ଧ୍ୟା ୫ରେ ଶୁଣାଣି, ଫ୍ଲୋର ଟେଷ୍ଟ ଉପରେ ଲାଗିବ କି ରୋକ ?

ମୁମ୍ବାଇ: ଦୀର୍ଘ ୯ ଦିନ ହେବ ଚାଲିଥିବା ମହାରାଷ୍ଟ୍ର ରାଜନୀତିକ ନାଟକ ଏବେ ସମାପ୍ତ ହେବା ଉପରେ । କାରଣ ଆଜି ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ ଆସ୍ଥା ଭୋଟ ପାଇଁ ଉଦ୍ଧବ ଠାକରେଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ଆସନ୍ତାକାଲି ବିଧାନସଭାରେ ଫ୍ଲୋର ଟେଷ୍ଟ ହେବ  । ସେପଟେ ବିଦ୍ରୋହୀ ସିନ୍ଦେ ଗୋଷ୍ଠୀ ମଧ୍ୟ କାଲି ସୁଦ୍ଧା ମୁମ୍ବାଇ ଆଶିବାକୁ ପ୍ରସ୍ତୁତି ସାରିଛନ୍ତି । ଅବଶ୍ୟ ଶିବସେନା ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି  । ସନ୍ଧ୍ୟା ୫ଟା ବେଳେ ସୁପ୍ରିମକୋର୍ଟର ସ୍ୱତନ୍ତ୍ର ବେଞ୍ଚ ଏହି ମାମଲାର ଶୁଣାଣି କରିବେ । ତେବେ ସୁପ୍ରିମକୋର୍ଟ ଶିବସେନାର ଆବେଦନକୁ ଖାରଜ କରିଦେବାର ଅଧିକା ସମ୍ଭାବନା ରହିଛି  ।

ଶିବସେନା ନିଜ ଆବେଦନରେ କହିଛି, ବିଦ୍ରୋହୀଙ୍କୁ ଅଯୋଗ୍ୟ ଘୋଷଣା ମାମଲା ଏବେ ବିଚାରଧୀନ ଅଛି ଏଭଳି ସ୍ଥିତିରେ ଫ୍ଲୋର ଟେଷ୍ଟ କିପରି ହେବ । ସୂଚନାଯୋଗ୍ୟ ମହାରାଷ୍ଟ୍ର ବିଧାନସଭା ଉପ ବାଚସ୍ପତି ନିକଟରେ ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବେ ବୋଲି ଚେତାବନୀ ଦେଇ ଲିଖିତ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ  । କିନ୍ତୁ ବିଦ୍ରୋହୀ ବିଧାୟକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ଶୁଣାଣିରେ କହିଥିଲେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଉପବାଚସ୍ପତି ବିଦ୍ରୋହୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତୁ  । ସୁପ୍ରିମକୋର୍ଟଙ୍କ ଏହି ଶୁଣାଣି ପରେ ବିଦ୍ରୋହୀଙ୍କୁ ଆଶ୍ୱସ୍ତି ମିଳିଥିଲା  । ବିଜେପି ସହ ମିଶି ସେମାନେ ୧୧ ତାରିଖ ପୂର୍ବରୁ ଫ୍ଲୋର ଟେଷ୍ଟ କରାଇ ଉଦ୍ଧବ ସରକାର ଭାଙ୍ଗିବା ପାଇଁ ଯୋଜନା କରିଛନ୍ତି ।

ଗତକାଲି ବିଜେପି ନେତା ଦେବେନ୍ଦ୍ର ଫଡନାବୀସ ଏବଂ ଅନ୍ୟ ବିଜେପି ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟି ଉଦ୍ଧବଙ୍କ ପାଖରେ ବହୁମତ ନଥିବା କଥା କହିବା ସହ ଫ୍ଲୋର ଟେଷ୍ଟ କରିବା ପାଇଁ ଦାବି କରିଥିଲେ । ଆଜି ତାଙ୍କର ଦାବି ଉପରେ ରାଜ୍ୟପାଳ ମୋହର ମାରିଛନ୍ତି ଏବଂ ଉଦ୍ଧବଙ୍କୁ ଆସନ୍ତା କାଲି ଫ୍ଲୋର ଟେଷ୍ଟର ସାମ୍ନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  । ଏହାକୁ ଚ୍ୟାଲେଞ୍ଜ କରି ଶିବସେନା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛି । ତେବେ ସୁପ୍ରିମକୋର୍ଟ ଫ୍ଲୋର ଟେଷ୍ଟ ଉପରେ ରୋକ୍ ଲଗାଇବା ସମ୍ଭାବନା ବହୁତ କମ୍ ଦେଖାଯାଇଛି ।

କାରଣ ମଧ୍ୟପ୍ରଦେଶରେ ମଧ୍ୟ ୨୦୨୦ ମସିହାରେ କମଲନାଥ ସରକାର ଫ୍ଲୋର ଟେଷ୍ଟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ ସୁପ୍ରିମକୋର୍ଟ ତାଙ୍କ ନିବେଦନକୁ ଖାରଜ କରିଦେଇଥିଲେ  । ସେ ସମୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ୨୨ ବିଧାୟକଙ୍କ ସହ ମିଶି କଂଗ୍ରେସରୁ ଇସ୍ତଫା ଦେଇଥିଲେ । ବାଚସ୍ପତି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ସେ ସମୟରେ ମଧ୍ୟ ଚେତାବନୀ ଦେଇଥିଲେ  । ରାଜ୍ୟପାଳ କିନ୍ତୁ ଫ୍ଲୋର ଟେଷ୍ଟ ଅନୁମତି ଦେଇ ଦେଇଥିଲେ  । ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୋଧରେ କମଲନାଥ ଓ କଂଗ୍ରେସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇ ବିଧାୟକଙ୍କ ଅଯୋଗ୍ୟ ମାମଲା ବିଚାରଧୀନ ଅଛି ଏପରି ସ୍ଥିତିରେ ଫ୍ଲୋର ଟେଷ୍ଟ ନକରାଯିବାକୁ ଦାବି କରିଥିଲେ । ହେଲେ ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଥିଲେ । ବିଦ୍ରୋହୀ ୨୨ ବିଧାୟକ ବିଜେପିକୁ ସମର୍ଥନ ଦେଇ ମଧ୍ୟପ୍ରଦେଶରେ ସରକାର ଗଠନ କରିଥିଲେ  ।

ଏବେ ମଧ୍ୟ ସମାନ ପରିସ୍ଥିତି ମହାରାଷ୍ଟ୍ରରେ ଦେଖାଦେଇଛି । ଅବଶ୍ୟ ମହାରାଷ୍ଟ୍ରରେ ବିଦ୍ରୋହୀ ବିଧାୟକମାନେ ଇସ୍ତଫା ଦେଇନାହାନ୍ତି ଏବଂ ଦଳ ପାଖରେ ତାଙ୍କୁ ଅଯୋଗ୍ୟ କରିବାର ଉଚିତ ତର୍କ ଅଛି  ।  କିନ୍ତୁ ସେମାନେ ବିଜେପିକୁ ସମର୍ଥନ କରୁଛନ୍ତି  । ଯଦି କାଲି ଫ୍ଲୋର ଟେଷ୍ଟ ହୁଏ ତେବେ ଏମାନେ ସରକାରଙ୍କ ବିରୋଧରେ ଯାଇ ବିଜେପି ସହ ମିଶି ନୂଆ ସରକାର ଗଢିବାର ସମ୍ଭାବନା ରହିଛି  । ଆଜି ସନ୍ଧ୍ୟା ୫ଟାରେ ସୁପ୍ରିମକୋର୍ଟଙ୍କ ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି  ।