ଆଜି ସୁପ୍ରିମକୋର୍ଟରେ ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ମାମଲାର ଶୁଣାଣି

କାଶ୍ମୀର: ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ମାମଲାରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ । ପ୍ରଧାନ ବିଚାରପତିଙ୍କ ସହ 5 ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଆଜିଠୁ ପ୍ରତିଦିନ ଏହି ଖଣ୍ଡପୀଠ ପୂର୍ବରୁ ଆବେଦନ ହୋଇଥିବା ମାମଲାର ଶୁଣାଣି କରିବେ । ପ୍ରତି ଆବେଦନକାରୀଙ୍କ ପକ୍ଷରୁ ଜଣେ ଲେଖାଏଁ ଓକିଲ ଥିବା ବେଳେ ସରକାରଙ୍କ ପକ୍ଷରୁ ଜଣେ ଓକିଲ କୋର୍ଟରେ ଯୁକ୍ତି ରଖିବେ ।

ପୂର୍ବରୁ ୨୩ଟି ପିଟିସନର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ଏନେଇ ୨୭ ଜୁଲାଇ ସୁଦ୍ଧା ସମସ୍ତ ପକ୍ଷଙ୍କ ଠାରୁ ସୁପ୍ରିମକୋର୍ଟ ଜବାବ ମାଗିଥିଲେ । ଜୁଲାଇ ୨୭ ସୁଦ୍ଧା ସମସ୍ତ ପକ୍ଷ ଏହି ପ୍ରସଙ୍ଗରେ ନିଜର ଉତ୍ତର ଦାଖଲ କରିଥିଲେ ।

ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ବେଆଇନ ବୋଲି କହି ଅନେକ ଆବେଦନ ହୋଇଛି । ଯାହାର କୋର୍ଟ ଶୁଣାଣି କରିବାକୁ ଯାଉଛନ୍ତି । ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିଥିଲେ । ଏଥିସହ ଜମ୍ମୁ କାଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇଥିଲା ।