ସୁପ୍ରିମକୋର୍ଟରେ ‘କୋଟିଆ’ ଶୁଣାଣି : ଅଦାଲତ ଅବମାନନା ନେଇ ଓଡ଼ିଶା ସରକାରଙ୍କ ଆବେଦନ

କୋରାପୁଟ: କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହେବ । ଅଦାଲତ ଅବମାନନା ନେଇ ଓଡ଼ିଶାର ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନ କରିଛି ଓଡ଼ିଶା। ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମିଶ୍ର ମାମଲା ରୁଜୁ କରିଛନ୍ତି । ଆନ୍ଧ୍ର ପ୍ରଦେଶ ଗଠନ ପୂର୍ବରୁ ୧୯୫୧ ମସିହାରୁ କୋଟିଆ ଅଧିବାସୀ ଓଡିଶାର କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ଓ ପଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଦେଇ ଆସୁଛନ୍ତି । ୧୯୫୬ ମସିହାରେ ଆନ୍ଧ୍ର ପ୍ରଦେଶ ଗଠନ ହୋଇଛି । ୧୯୬୮ରେ ଏହି ସୀମା ବିବାଦର ଶୁଣାଣି କରି ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ଅବମାନନା କରି ଆନ୍ଧ୍ରପ୍ରଦେଶ ନିର୍ବାଚନ କମିଶନଙ୍କ ପକ୍ଷରୁ କୋଟିଆର ୩ଟି ପଞ୍ଚାୟତରେ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହା ବିରୋଧରେ ଓଡ଼ିଶା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି । କୋଟିଆର ଫଗୁସେନାରୀ, ଫଟୁସେନାରୀ ଓ ଗଞ୍ଜେଇପଦର ଗାଁରେ ନିର୍ବାଚନ କରୁଛି ଆନ୍ଧ୍ର ସରକାର । ଏହି ୩ଟି ଗାଁ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ତହସିଲ ଅଧୀନରେ ଅଛି । ୨୦୦୬ରେ ସୁପ୍ରିମକୋର୍ଟ ମାମଲା ଖାରଜ କରିବା ସହ ୧୯୬୮ ମସିହାର ସ୍ଥିତାବସ୍ଥା ବଜାୟ ରଖିବାକୁ କହିଥିଲେ । ଏବେ ପଞ୍ଚାୟତ ନିର୍ବାଚନ କରି ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା କରୁଛି ଆନ୍ଧ୍ର  । ସେପଟେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କହିଛନ୍ତି, କୋଟିଆ ଆମର ଥିଲା, ଭବିଷ୍ୟତରେ ମଧ୍ୟ ଆମର ରହିବ। ଏଭଳି ବିସ୍ତାରବାଦ ନୀତିରୁ ଆନ୍ଧ୍ର ନିବୃତ୍ତ ରହିବାକୁ ସଞ୍ଜୟ ଦାସବର୍ମା କହିଛନ୍ତି ।

ଏଥିସହିତ ପଢ଼ନ୍ତୁ : ଦିନରେ ପାଠ ପଢୁଥିଲେ, ସନ୍ଧ୍ୟାରେ ବାସନ ମାଜୁଥିଲେ… ଜଣେ ରିକ୍ସା ଚାଳକ ଝିଅ ସାଜିଲେ ମିସ୍ ଇଣ୍ଡିଆ ରନର୍ସ ଅପ୍

 

 

Leave a Reply