କେନ୍ଦ୍ର ସରକାରଙ୍କୁ ସୁପ୍ରିମ ଝାଟ, ଚଳିବନି ବୁଲଡୋଜର ଶାସନ

ନୂଆଦିଲ୍ଲୀ: ବୁଲଡୋଜର ଆକ୍ସନ ଚଳିବ ନାହିଁ । ତୁରନ୍ତ ଏହାକୁ ବନ୍ଦ କର । କାହାରି ଘରଦ୍ଵାର ଉପରେ ବୁଲଡୋଜର ଚଲାଇ ପ୍ରଶାସନ ମନଇଚ୍ଛା ଭଙ୍ଗା ଭଙ୍ଗି କରିପାରିବ ନାହିଁ । ଆଜି ଏମିତି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅକ୍ଟୋବର ୧ ଯାଏଁ ସାରା ଦେଶରେ ଏହି କଟକଣା ଜାରି ରହିବ । ସେହିଦିନ ହେବ ମାମଲାର ପରବର୍ତ୍ତୀ ଶୁଣାଣି । କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରି ସୁପ୍ରିମକୋର୍ଟ କହିଛନ୍ତି, ପରବର୍ତ୍ତୀ ଶୁଣାଣି ଯାଏଁ ଅପେକ୍ଷା କଲେ ଆକାଶ ଛିଡ଼ି ପଡ଼ିବ ନାହିଁ । ବୁଲଡୋଜର ଲଗାଇ କାହାର ଘରଦ୍ଵାର ଭାଙ୍ଗିବା ଘଟଣାକୁ ବଢ଼େଇ ଚଢ଼େଇ ପ୍ରଶଂସା ନ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ତାଗିଦ କରିଛନ୍ତି ।

କୋର୍ଟ କହିଛନ୍ତି, ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆମର ବିନା ଅନୁମତିରେ କାହାରି ଘର ପ୍ରଶାସନ ଭାଙ୍ଗି ପାରିବ ନାହିଁ । ଏପରିକି ନିର୍ବାଚନ କମିଶନଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ତାଗିଦ କରାଯାଇଛି । ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି, ଅପରାଧରେ ସମ୍ପୃକ୍ତ ହେବାର ଅର୍ଥ ନୁହେଁ, ତାର ଘରକୁ ଭଙ୍ଗା ଯିବ ।

ଦିଲ୍ଲୀର ଏକ ଗଣ୍ଡଗୋଳ ମାମଲାର ଅଭିଯୁକ୍ତଙ୍କ ଘରକୁ ପ୍ରଶାସନ ଭାଙ୍ଗି ଦେଇଥିବାରୁ ଏହାର ପ୍ରତିବାଦରେ ସେମାନେ ସୁପ୍ରିମକୋର୍ଟ ଯାଇଥିଲେ। ତା’ର ଶୁଣାଣି କରି ଏପରି କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ସୁପ୍ରିମକୋର୍ଟ । ଦେଶରେ କିଛି ଦିନ ହେଲାଣି ଏହି ବୁଲଡୋଜର ଆକ୍ସନ ଚାଲିଛି । କିଏ ଯଦି କୌଣସି ଅପରାଧରେ ସଂପୃକ୍ତ ବୋଲି ଅଭିଯୋଗ ଆସୁଛି, ପ୍ରଶାସନ ପ୍ରଥମେ ବୁଲଡୋଜର ଲଗାଇ ତା’ର ଘର ଭାଙ୍ଗି ଦେଉଛି ।

ପ୍ରଥମେ ଏହି ଟ୍ରେଣ୍ଡ ଆରମ୍ଭ କରିଥିଲେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତେଣୁ ଯୋଗୀଙ୍କୁ ବୁଲଡୋଜର୍ ବାବା ବୋଲି ତାଙ୍କର ସମର୍ଥକ କହନ୍ତି । ଏହି ଟ୍ରେଣ୍ଡ ଅନ୍ୟ ରାଜ୍ୟକୁ ବି ବ୍ୟାପିଲାଣି । ବିଶେଷ କରି ସଂଖ୍ୟାଲଘୁ ସଂପ୍ରଦାୟକୁ ଟାର୍ଗେଟ କରାଯାଉଛି ବୋଲି ବି ଅଭିଯୋଗ ଆସିଛି । ଯାହାକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟ ।