ରାହୁଲଙ୍କୁ ‘ସୁପ୍ରିମ’ ଆଶ୍ବସ୍ତି, ଏଣିକି ନିର୍ବାଚନ ଲଢ଼ିପାରିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ରାହୁଲଙ୍କୁ ‘ସୁପ୍ରିମ’ ଆଶ୍ବସ୍ତି । ମୋଦି ସାଙ୍ଗିଆ ମାମଲାରେ ଦଣ୍ଡାଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଦୁଇ ବର୍ଷ ଜେଲଦଣ୍ଡକୁ କାଏମ ରଖିଥିଲେ ହାଇକୋର୍ଟ । ନିମ୍ନ ଅଦାଲତ ଶୁଣାଇଥିଲେ ଦୁଇ ବର୍ଷ ସଜ୍ଜା । ସୁପ୍ରିମକୋଟଙ୍କ ଏହି ରାୟ ପରେ ନିର୍ବାଚନ ଲଢ଼ିପାରିବେ ରାହୁଲ ଗାନ୍ଧୀ । କାହିଁକି ଅଧିକତମ ଦଣ୍ଡ ଦିଆଯାଇଛି ପ୍ରଶ୍ନ କରିଥିଲେ କୋର୍ଟ ।‘ଅଧିକତମ ଦଣ୍ଡ ସଂସଦୀୟ କ୍ଷେତ୍ରକୁ ପ୍ରଭାବିତ କରିବ’ । ଅଧିକତମ ସଜାର କାରଣ ଟ୍ରାଏଲ କୋର୍ଟ ଦର୍ଶାଇ ନାହାନ୍ତି ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଗତ ୧୮ ତାରିଖରେ ମାମଲାର ଶୁଣାଣି କରି ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଥିଲେ । ୧୦ ଦିନ ମଧ୍ୟରେ ଉତ୍ତର ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାସହ ରାହୁଲଙ୍କ ବିରୋଧରେ ଅଭିଯୋଗ ଦାଏର କରିଥିବା ବିଜେପି ନେତା ପୂର୍ଣ୍ଣେଶ ମୋଦିଙ୍କୁ ମଧ୍ୟ କୋର୍ଟ ନୋଟିସ କରିଥିଲେ । ୨୦୧୯ରେ କର୍ଣ୍ଣାଟକ କୋଲରରେ ମୋଦି ସାଙ୍ଗିଆକୁ ନେଇ ରାହୁଲ ଦେଇଥିବା ବୟାନକୁ ନେଇ ଆଇପିସିର ଧାରା ୪୯୯, ୫୦୦ ଓ ୫୦୪ ଅନୁସାରେ ମାମଲା ରୁଜୁ ହୋଇଥିଲା । ଗତ ମାର୍ଚ୍ଚ ୨୩ ତାରିଖରେ ମାନହାନି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ ସୁରତ ସିଜେଏମ କୋର୍ଟ । ଗୁଜରାଟ ହାଇକୋର୍ଟ ମଧ୍ୟ ତଳକୋର୍ଟଙ୍କ ରାୟ କାଏମ ରଖିଥିଲେ ।