ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାରକୁ ସୁପ୍ରିମ ଝଟକା

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାରକୁ ବଡ଼ ସୁପ୍ରିମ ଝଟକା। ଦିଲ୍ଲୀ ମହାନଗର ନିଗମରେ ୧୦ ମନୋନୀତ ସଦସ୍ୟଙ୍କ ନିଯୁକ୍ତି ନେଇ ନିଷ୍ପତ୍ତି ନେଇପାରିବେ ଉପରାଜ୍ୟପାଳ। ଦିଲ୍ଲୀ ମହାନଗର ନିଗମରେ ୧୦ ପାର୍ଷଦଙ୍କ ନିଯୁକ୍ତି ନେଇ ଏହି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼, ଜଷ୍ଟିସ ପିଏସ ନରସିଂହା ଏବଂ ଜଷ୍ଟିସ ଜେବି ପାରଦିୱାଲାଙ୍କୁ ନେଇ ବେଞ୍ଚ ଏହି ରାୟ ପ୍ରଦାନ କରିଛନ୍ତି। ଏମସିଡିରେ ୧୦ ମନୋନୀତ ସଦସ୍ୟଙ୍କୁ ନିଯୁକ୍ତି ଦେଇପାରିବେ ଦିଲ୍ଲୀ ଉପରାଜ୍ୟପାଳ।

ପୂର୍ବରୁ ଦିଲ୍ଲୀ ଉପରାଜ୍ୟପାଙ୍କ ଏକ ନିଷ୍ପତ୍ତିକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ଦିଲ୍ଲୀର ଆପ ସରକାର। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଆପ ସରକାରକୁ ବଡ଼ ଝଟକା ଲାଗିଛି। କୋର୍ଟ କହିଛନ୍ତି ଯେ, ମନୋନୀତ ସଦସ୍ୟଙ୍କ ନିଯୁକ୍ତି ଉପରାଜ୍ୟପାଳଙ୍କ ଅଧିକାର। ସରକାରଙ୍କ ବିନା ପରାମର୍ଶରେ ସେ ଏମସିଡିରେ ସଦସ୍ୟ ନିଯୁକ୍ତି କରିପାରିବେ। ୧୯୯୩ର ଅଧିନିୟମ ଅନୁସାରେ ଉପରାଜ୍ୟପାଳଙ୍କୁ ଏହି ଅଧିକାର ଦିଆଯାଇଛି। ଏଥିଲାଗି ଦିଲ୍ଲୀ ସରକାରଙ୍କ ପରାମର୍ଶର ଆବଶ୍ୟକତା ନାହିଁ। ଏମସିଡି ଅଧିନିୟମ ଅନୁସାରେ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଏହି ଅଧିକାର ମିଳିଛି। ଏହି ଅଧିକାର କାର୍ଯ୍ୟପାଳିକା ଅଧିକାର ହୋଇନଥିବାରୁ ଏଥିଲାଗି ପରାମର୍ଶ ନେବାର ଆବଶ୍ୟକ ନାହିଁ।

ଏହା ପୂର୍ବରୁ ଗତ ୧୭ ତାରିଖରେ ସୁପ୍ରିମକୋର୍ଟ ମାମଲାରେ ରାୟ ସଂରକ୍ଷିତ ରଖିଥିଲେ। ଦିଲ୍ଲୀ ମହାନଗର ନିଗମରେ ମୋଟ ୨୫୦ ସଦସ୍ୟ ରହିଥିବାବେଳେ ୧୦ ମନୋନୀତ ସଦସ୍ୟ ରହିଛନ୍ତି। ଦିଲ୍ଲୀ ମହାନଗର ନିଗମରେ ଉପରାଜ୍ୟପାଳଙ୍କୁ ଏହି ଅଧିକାର ଦେବାର ଅର୍ଥ ହେଉଛି ଉପରାଜ୍ୟପାଳ ଚାହିଁଲେ ମହାନଗର ନିଗମକୁ କୌଣସି ସମୟରେ ଚାହିଁଲେ ଭଙ୍ଗ କରିପାରିବେ।