ସୋନମଙ୍କ ମୁକ୍ତି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ନନ୍ଦିଘୋଷ ବ୍ୟୁରୋ : ଲଦାଖକୁ ରାଜ୍ୟମାନ୍ୟତା ଦାବିରେ ଆନ୍ଦୋଳନ ପ୍ରସଙ୍ଗ । ବିଶିଷ୍ଟ ଜଳବାୟୁ କର୍ମୀ ସୋନମ ଓ୍ବାଙ୍ଗଚୁକଙ୍କ ମୁକ୍ତି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ସୋନମଙ୍କ ମୁକ୍ତି ପ୍ରସଙ୍ଗରେ ତାଙ୍କ ପତ୍ନୀ ଗୀତାଞ୍ଜଳି ଅଙ୍ଗମୋ ସୁପ୍ରିମକୋର୍ଟରେ ଦାୟର କରିଥିଲେ ହେବିୟସ କର୍ପସ । ଜାତୀୟ ନିରାପତ୍ତା ଆଇନ ଅନୁସାରେ ସୋନମଙ୍କୁ କରାଯାଇଥିଲା ଗିରଫ । ବର୍ତ୍ତମାନ ରାଜସ୍ଥାନ ଯୋଧପୁର ସେଣ୍ଟ୍ରାଲ ଜେଲରେ ବନ୍ଦୀ ଅଛନ୍ତି ସୋନମ । ମାମଲାର ଶୁଣାଣି କରିବେ ଜଷ୍ଟିସ ଅରବିନ୍ଦ କୁମାର ଓ ଏନ.ଭି. ଆଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ । ସେପଟେ ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ସମ୍ବିଧାନର ଷଷ୍ଠ ଧାରାରେ ଲଦାଖକୁ ଅନ୍ତର୍ଭୁକ୍ତ କରିବା ଦାବି ପ୍ରସଙ୍ଗ। ଆଜି ଲେହ ସର୍ବୋଚ୍ଚ କମିଟି ବା ଏଲଏବି ଓ କାରଗିଲ ଗଣତାନ୍ତ୍ରିକ ସଂଗଠନ ବା କେଡିଏ ସହ କେନ୍ଦ୍ର ସରକାର ଏବଂ ଲଦାଖ ପ୍ରତିନିଧିଙ୍କ ଆଲୋଚନା ହେବା ସମ୍ଭାବନା ରହିଛି। ଲଦାଖକୁ ରାଜ୍ୟ ମାନ୍ୟତା ଦେବା ଆନ୍ଦୋଳନର ନେତୃତ୍ବ ନେଉଛି ଲେହ ସର୍ବୋଚ୍ଚ କମିଟି ବା ଏଲଏବି। ପୂର୍ବର ଜାମ୍ମୁ ଓ କାଶ୍ମୀର ରାଜ୍ୟରେ ଅନ୍ତର୍ଭୁକ୍ତ ଥିଲା ଲଦାଖ। ମାତ୍ର ୨୦୧୯ ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଲଦାଖ ସିଧାସଳଖ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିଲା। ଏହା ସହ ଜାମ୍ମୁ ଓ କାଶ୍ମୀର ବି ହୋଇଥିଲା ଏକ କେନ୍ଦ୍ରଶାସିତ ଅଞ୍ଚଳ।