ଦିଲ୍ଲୀ ମଦ ଘୋଟାଲା ମାମଲାରେ ସଞ୍ଜୟ ସିଂଙ୍କୁ ସୁପ୍ରିମକୋର୍ଟ ଝଟକା, ମିଳିଲାନି ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ: ଅବକାରୀ ନୀତି ଘୋଟାଲା ମାମଲାରେ ଇଡି ଦ୍ବାରା ଗିରଫ ଆପ୍‌ ନେତା ସଞ୍ଜୟ ସିଂଙ୍କ ବଢୁଛି ଅଡୁଆ  । ରିମାଣ୍ଡ ବିରୁଦ୍ଧରେ ଆପ୍‌ ନେତାଙ୍କୁ ଆଶ୍ବସ୍ତି ଦେଲେନି ସୁପ୍ରିମକୋର୍ଟ । କୋର୍ଟ ଏହି ମାମଲାର ଶୁଣାଣି ଆଗାମୀ ଫେବୃଆରୀ ୫ରେ କରିବେ  ।

ନ୍ୟାୟାଧିଶ ସଞ୍ଜୀବ ଖାନ୍ନା ଓ ଏସ.ଏନ.ବି.ଭଟ୍ଟିଙ୍କ ପୀଠ ମାମଲାର ଶୁଣାଣି କରି ସଞ୍ଜୟ ସିଂଙ୍କୁ ଅନ୍ତରୀଣ ସୁରକ୍ଷା ଦେବା ପାଇଁ ମନା କରି ଦେଇଛନ୍ତି  । ଗତ ୨୦ ନଭେମ୍ବରରେ ସୁପ୍ରିମକୋର୍ଟ ଏହି ମାମଲାରେ ନୋଟିସ୍‌ ଜାରି କରି କହିଥିଲେ ଯେ କେନ୍ଦ୍ର ତଥା ଇଡି ସଞ୍ଜୟଙ୍କ ଯାଚିକାର ଜବାବ ଦିଅନ୍ତୁ ।

ଏହାରି ମଧ୍ୟରେ ରାଉଜ ଏଭେନ୍ୟୁ କୋର୍ଟର ସ୍ବତନ୍ତ୍ର ନ୍ୟାୟାଧୀଶ ଏମ କେ ନାଗପାଲ ଶନିବାର ଆପ ସାଂସଦଙ୍କ ଦ୍ବାରା ଦାଏର ଜାମିନ ଆବେଦନ ଶୁଣାଣିରେ ରୋକ୍‌ ଲଗାଇ ଆଗାମୀ ଶୁଣାଣି ଡିସେମ୍ବର ୧୨କୁ ନିର୍ଦ୍ଧାରିତ କରିଥିଲେ  । ଏହା ପୂର୍ବରୁ ଇଡି ୬୦ ପୃଷ୍ଠା ସମ୍ବଳିତ ଏକ ଅଭିଯୋଗ ପତ୍ର ଦାଏର କରିଥିଲେ  । ମନି ଲଣ୍ଡରିଂ, ଷଡଯନ୍ତ୍ର ଓ ଅଭିଯୁକ୍ତଙ୍କୁ ସାହାଯ୍ୟ କରିବା ଆଦି ଅଭିଯୋଗ ତାଙ୍କ ବିରୁଦ୍ଧରେ ଥିଲା  ।

 

ଗତ ଅକ୍ଟୋବର ୪ରେ ସଞ୍ଜୟ ସିଂଙ୍କ ବାସଭବନରେ ଯାଞ୍ଚ କରି ତାଙ୍କୁ ଇଡି ଗିରଫ କରିଥିଲା  । ଆପ୍‌ର ବଡ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫଦାରୀ ପରେ ସଞ୍ଜୟ ସିଂଙ୍କ ଗିରଫ ସବୁଠାରୁ ବଡ ଗିରଫ ଥିଲା  ।