spot_img

Latest Posts

ସାପ କାମୁଡ଼ା ଜନିତ ମୃତ୍ୟୁ କ୍ଷତିପୂରଣ ରାଶି ୪ ଲକ୍ଷକୁ ବୃଦ୍ଧି ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟରେ ସାପ ଭୟ ବଢୁଥିବାବେଳେ ମୃତ୍ୟୁ ପରବର୍ତ୍ତୀ କ୍ଷତିପୂରଣ ରାଶି ବୃଦ୍ଧି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ମିଳୁଥିବା ସହାୟତା ରାଶି ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ । ଏ ନେଇ ସମସ୍ତ ରାଜ୍ୟ କେନ୍ଦ୍ର ସରକାରଙ୍କୁ କ୍ଷତିପୂରଣ ରାଶିର ବର୍ଦ୍ଧିତ ପରିମାଣ ରିପୋର୍ଟ ପ୍ରଦାନ କରିବେ । ଏହା ପରେ ବର୍ଦ୍ଧିତ ରାଶି ସ୍ଥିର କରାଯିବ । ୨୦୨୧ରେ ୨୨୮୦ ସାପ କାମୁଡ଼ା ମାମଲା ରିପୋର୍ଟ ହୋଇଥିଲା । ଯାହା ୨୦୨୨ରେ ବଢି ୪ ହଜାର ୮୫୫ରେ ପହଞ୍ଚିଥିଲା । ୨୦୨୩ରେ ୯ହଜାର ୩୨୫ ଲୋକଙ୍କୁ ସାପ କାମୁଡ଼ି ଥିଲା । ହେଲେ ୨୦୨୪ ମସିହା କିନ୍ତୁ ଏହା ସବୁ ରେକର୍ଡ ଭାଙ୍ଗି ଦେଇଛି । ଏହି ଏକ ବର୍ଷରେ ସାପ କାମୁଡ଼ା ଅହେତୁକ ଭାବେ ବଢି ୧୬ ହଜାର ୬୮୨ରେ ପହଞ୍ଚିଥିଲା । ସାପ କାମୁଡ଼ା ମୃତ୍ୟୁ ବି ପିକରେ ରହୁଛି । ୨୦୨୧-୨୨ ରେ ୮୪୪ ଜଣ ଲୋକ ସାପ କାମୁଡାରେ ଜୀବନ ହାରିଥିଲେ । ୨୦୨୨-୨୩ ରେ ୧୦୦୧, ୨୦୨୩-୨୪ ରେ ୧୦୧୬ ଲୋକ ସାପ କାମୁଡାରେ ପ୍ରାଣ ହରାଇଥିଲେ ।

୨୦୨୪-୨୫ରେ ୯୨୧ ଜଣ ଲୋକଙ୍କ ସାପ କାମୁଡ଼ା ଯୋଗୁଁ ମୃତ୍ୟୁ ହୋଇଥିଲା । ଚଳିତ ବର୍ଷ ୧୫ ହଜାର ୪୬୯ ସାପ କାମୁଡ଼ା ମାମଲା ଆସିଛି । ଯାହା ଉଭୟ ବିଷାକ୍ତ ଓ ଅଣବିଷାକ୍ତ ସାପ କାମୁଡ଼ା ମାମଲା । ଗଞ୍ଜାମରେ ୧୫୪୫, ଜଗତସିଂହପୁରରେ ୧୫୨୩, କଟକ ୧୧୮୧, କେନ୍ଦୁଝର ୧୦୮୨, ନୂଆପଡା ୧୩୨, ଭଦ୍ରକ ୧୬୬, ମାଲକାନଗିରିରୁ ୮ଟି ମାମଲା ଆସିଛି । ତେବେ ୨୩ ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟ ଆସିଛି । ଯାହା ତହସିଲଦାର ଓ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ରିପୋର୍ଟରୁ ସ୍ପଷ୍ଟ ହେବ । ତେବେ ଅଧିକାଂଶ ମାମଲା ସାପ କାମୁଡ଼ାଜନିତ ନୁହେଁ । କେଉଁଠି ସରପଞ୍ଚ ତ ଅନ୍ୟ କେଉଁଠି ଅନ୍ୟ ପଞ୍ଚାୟତ ପ୍ରତିନିଧି ସାପ କାମୁଡ଼ା ମୃତ୍ୟୁ ଉପରେ ମୋହର ମାରୁଛନ୍ତି । ପରବର୍ତ୍ତୀ ସମୟରେ ଏହା ମିଥ୍ୟା ବୋଲି ପ୍ରମାଣିତ ହେଉଛି । ଏପରି ସ୍ଥିତିରେ କ୍ଷତିପୂରଣ ଦେବା କାଠିକର ପାଠ ହେଉଛି । ଏପରି ସ୍ଥିତି ଯେପରି ନ ଉପୁଜେ, ସେଥି ପାଇଁ ଦୁଇ ଦିନିଆ ସାପ କାମୁଡ଼ା ପରିଚାଳନା କାର୍ଯ୍ୟକ୍ରମ ଆରମ୍ଭ କରିଛି ସ୍ବାସ୍ଥ୍ୟ ବିଭାଗ ।

ଠିକ୍ ସମୟରେ ସାପ କାମୁଡ଼ା ରୋଗୀଙ୍କୁ ହସ୍ପିଟାଲ ନେବା, ଏକ ଘଣ୍ଟା ଭିତରେ ଆଣ୍ଟି ସ୍ନେକ ଭେନମ ଟିକା ଦେବା ଆବଶ୍ୟକ । ଏହି ଏକ ଘଣ୍ଟାକୁ ହିଁ ଗୋଲଡେନ ଆଓ୍ବାର କୁହାଯାଏ । ବିଭିନ୍ନ ସମୟରେ ଅନ୍ଧବିଶ୍ବାସ ଯୋଗୁ ସାପ କାମୁଡ଼ା ରୋଗୀଙ୍କୁ ପ୍ରଥମେ ଝଡ଼ାଫୁଙ୍କା କରିବା ସହ ଗୁଣିଗାରେଡ଼ି କରାଯାଇଥାଏ। ଯାହା ରୋଗୀଙ୍କୁ ଠିକ୍ ସମୟରେ ଉପଚାର ଯୋଗାଇବାରେ ବାଧା ସୃଷ୍ଟି କରେ। ବିଳମ୍ବରେ ହସ୍ପିଟାଲ ନେବାରୁ ରୋଗୀଙ୍କ ମୃତ୍ୟୁ ହୋଇଯାଇଥାଏ । ନାଗ ସାପ କାମୁଡ଼ିବାରେ ଏକ ଘଣ୍ଟା ଭିତରେ ଆଣ୍ଟି ସ୍ନେକ ଭେନମର ପ୍ରଥମ ଡୋଜର ୧୦ ଭାଏଲ ଦେଲେ କିଛି ସମୟ ଭିତରେ ରୋଗୀ ସୁସ୍ଥ ହୋଇଯିବ । ଚନ୍ଦନବୋଡ଼ା କାମୁଡ଼ା ଦ୍ବାରା ବୃକକ ସଂକ୍ରମିତ ହୋଇଥାଏ । ସେହିଭଳି ରୋଗୀ ଆଣ୍ଟି ସ୍ନେକ ଭେନମ ଦେବାର ୪ ଦିନ ପରେ ସ୍ବାଭାବିକ ଅବସ୍ଥାକୁ ଫେରିବ ।

Latest Posts

Don't Miss