ସୁପ୍ରିମକୋର୍ଟରେ ଶୁଣାଣିର ଲାଇଭ ଷ୍ଟ୍ରିମିଂ ଆରମ୍ଭ, ବିଚାର ବିଭାଗରେ ସ୍ୱଚ୍ଛତା ରକ୍ଷା ଲାଗି ଐତିହାସିକ ନିଷ୍ପତ୍ତି

1 min read

ନୂଆଦିଲ୍ଲୀ: ଆଜିଠୁ ସୁପ୍ରିମକୋର୍ଟରେ ଆରମ୍ଭ ହେଲା ଶୁଣାଣିର ଲାଇଭ ଷ୍ଟ୍ରିମିଂ । ୩ଟି ସ୍ୱତନ୍ତ୍ର ସାମ୍ବିଧାନିକ ଖଣ୍ଡପୀଠର ଲାଇଭ ଷ୍ଟ୍ରିମିଂ କରାଯାଉଛି । ବିଚାର ବିଭାଗରେ ସ୍ୱଚ୍ଛତା ରକ୍ଷା ଲାଗି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ୟୁଟ୍ୟୁବ ବା ଅନ୍ୟାନ୍ୟ ପ୍ଲାଟଫର୍ମ ବଦଳରେ NIC ପ୍ଲାଟଫର୍ମରେ ଶୁଣାଣିର ସିଧାପ୍ରସାରଣ କରାଯାଉଛି । ସିଜେଆଇ ଜଷ୍ଟିସ ୟୁ.ୟୁ.ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଅର୍ଥନୈତିକ ଭାବେ ଦୁର୍ବଳ ବର୍ଗ ବା EWS ମାମଲାର ଶୁଣାଣି କରୁଛନ୍ତି । ଏହି ମାମଲା ୧୦୩ତମ ସମ୍ବିଧାନ ସଂଶୋଧନକୁ ଚାଲେଞ୍ଜ କରୁଛି । ସେହିପରି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶିବସେନା ବିବାଦ ମାମଲାର ଶୁଣାଣି କରୁଛନ୍ତି । ଜଷ୍ଟିସ କାଉଲଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସର୍ବଭାରତୀୟ ବାର୍ ପରୀକ୍ଷା ମାମଲାର ଶୁଣାଣି କରୁଛନ୍ତି ।

ଆଗାମୀ ଦିନରେ ବିଭିନ୍ନ ଶୁଶାଣିର ସିଧାପ୍ରସାରଣ ଲାଗି ସୁପ୍ରିମକୋର୍ଟ ନିଜର ସ୍ୱତନ୍ତ୍ର ଓଟିଟି ପ୍ଲାଟଫର୍ମ ତିଆରି କରିବେ ବୋଲି ସୂଚନା ମିଳିଛି । ପୂର୍ବରୁ ମଧ୍ୟପ୍ରଦେଶ ହାଇକୋର୍ଟ ମଧ୍ୟ ଓଟିଟି ପ୍ଲାଟଫର୍ମରେ ଲାଇଭ ଷ୍ଟ୍ରିମିଂ କରିବାକୁ ପଦକ୍ଷେପ ନେଇଛନ୍ତି । ସୁପ୍ରିମକୋର୍ଟ ନିଜର ଏକ ଓଟିଟି ପ୍ଲାଟଫର୍ମ ତିଆରି କରିବା ନେଇ ଗୁରୁତ୍ୱ ଦେଇଥିଲେ ପ୍ରଧାନବିଚାରପତି ଜଷ୍ଟିସ ଲଳିତ ।