ଏଲୋପାଥି ବିରୋଧରେ କହି ଫସିଲେ ବାବା ରାମଦେବ, ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏଲୋପାଥି ବିରୋଧରେ କହି ଫସିଲେ ବାବା ରାମଦେବ । ଏଲୋପାଥିକୁ ବଦନାମ କରିବାକୁ କାହିଁକି ଦେଖାଇଥିଲେ ବିଜ୍ଞାପନ । ଏନେଇ ସୁପ୍ରିମକୋର୍ଟ ଜବାବ ମାଗିଛନ୍ତି । କେନ୍ଦ୍ର ସରକାର ଓ ପତଞ୍ଜଳିକୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଏଲୋପାଥି ଚିକିତ୍ସାକୁ ନେଇ ବାବା ରାମଦେବ ପ୍ରଶ୍ନ ଉଠାଇଥିଲେ । ତେବେ ବାବା ରାମଦେବଙ୍କ ଏହି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ । ବାବା ରାମଦେବ ଯୋଗକୁ ଲୋକପ୍ରିୟ କରାଇଛନ୍ତି । ତେବେ ସେ ଅନ୍ୟ ଚିକିତ୍ସା ବ୍ୟବସ୍ଥାକୁ ସମାଲୋଚନା କରିପାରିବେନି ।

ତାଙ୍କ ଚିକିତ୍ସା ପ୍ରଣାଳୀରେ ସବୁ ରୋଗର ଉପଶମ କରିବା ନେଇ ଗ୍ୟାରେଣ୍ଟି ଦେବ କି, ବୋଲି ସିଜେଆଇ ଏନଭି ରମଣା ପ୍ରଶ୍ନ କରିଛନ୍ତି । ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍, ଆଇଏମଏର ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି କହିଛନ୍ତି । ଏଲୋପାଥି ଚିକିତ୍ସା ଓ ଟିକାକରଣ ବିରୋଧରେ ବାବା ରାମଦେବଙ୍କ ବୟାନ ନେଇ ସର୍ବୋଚ୍ଚ କୋର୍ଟରେ ଆବେଦନ କରିଥିଲା ଆଇଏମଏ । ଆଗରୁ ମଧ୍ୟ ଦିଲ୍ଲୀ ହାଇକୋର୍ଟ ଏଲୋପାଥି ବିରୋଧରେ କହି ଲୋକଙ୍କୁ ବିଭ୍ରାନ୍ତ ନକରିବାକୁ ପରାମର୍ଶ ଦେଇଥିଲେ ।