Farmers Protest: ଚାଷୀ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ସହମତି ଭିତ୍ତିରେ ସମାଧାନ ହେଉ: SC

1 min read

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ଆଜିକୁ ୨୧ ଦିନରେ ପହଞ୍ଚିଲାଣି। ଏହି ଆନ୍ଦୋଳନ ଦିଲ୍ଲୀ ସୀମାରେ ଜାରି ରହିବ ନା ଆନ୍ଦୋଳନକାରୀଙ୍କୁ ଆଉ କେଉଁଠିକି ପଠାଯିବ ସେ ନେଇ ଆଜି ସୁପ୍ରିମ କୋର୍ଟରେ ଶୁଣାଣି ହୋଇଛି। ମୁଖ୍ୟ ପିଚାରପତି ଏସ ବୋବଡ଼େ, ଜଷ୍ଟିସ୍ ଏ ଏସ୍ ବୋପନ୍ନାଓ ଜଷ୍ଟିସ୍ ରାମସୁବ୍ରମଣୀୟମଙ୍କର ତିନିଜଣିଆ ଖଣ୍ଡପୀଠ ଏହି ମାମଲାରେ କେନ୍ଦ୍ର ସରକାର, ପଞ୍ଜାବ ଓ ହରିୟାଣା ସରକାରଙ୍କୁ ନୋଟିସ୍ ପଠାଇଛନ୍ତି।

ନୋଟିସ ପଠାଇବା ସହ ଖଣ୍ଡପିଠ କହିଛନ୍ତି ଯେ ସହମତି ଭିତ୍ତିରେ ଚାଷୀ ସମସ୍ୟାର ସମାଧାନ ହେଉ। ସରକାର, ଚାଷୀ ପ୍ରତିନିଧି ଓ ଅନ୍ୟ ଅଂଶୀଦାରଙ୍କର ଏକ କମିଟି ଗଠନ କରି ଆପୋଷ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଛନ୍ତି। ଅନ୍ୟପଟେ ୨୧ ଦିନରେ  ଚାଷୀ ଆନ୍ଦୋଳନ ପହଞ୍ଚିଲାଣି, ଏପର୍ଯ୍ୟନ୍ତ କାହିଁକି ଚାଷୀଙ୍କ ସହ ସରକାର ବୁଝାମଣା କରିନାହାନ୍ତି ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଏଭଳି ପ୍ରସଙ୍ଗରେ ଶୀଘ୍ରରୁ ଶୀଘ୍ର ସମାଧାନ ହେବା ଦରକାର ବୋଲି ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି ହଜାର ହଜାର ଚାଷୀ। ଆଜି ସକାଳୁ ଦିଲ୍ଲୀ-ନୋଏଡା ସୀମା ସିଲ୍ କରିଛନ୍ତି କୃଷକ ସଂଗଠନ। ଚାଷୀ ଓ ସରକାରଙ୍କ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସମାଧାନର କୌଣସି ବାଟ ବାହାରିପାରିନି।

Leave a Reply