ବିଭିନ୍ନ ମସଜିଦ ଓ ଧାର୍ମିକ ପୀଠରେ ଚାଲିଥିବା ସର୍ଭେ ଉପରେ ରୋକ୍

ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ମସଜିଦ ଓ ଧାର୍ମିକ ପୀଠରେ ଚାଲିଥିବା ସର୍ଭେ ଉପରେ ରୋକ୍। ଏ ସଂକ୍ରାନ୍ତ ୬ଟି ପିଟିସନର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଫଳରେ ଜ୍ଞାନବାପି ମସଜିଦ, ମଥୁରା ଶାହି ଇଦଗା, ସମ୍ଭଲର ଶାହି ଜାମା ମସଜିଦ ଆଦି ପୀଠସ୍ଥଳୀ ଉପରେ ଚାଲିଥିବା ସର୍ଭେ ଉପରେ ରୋକ୍ ଲାଗିଛି। ଏସମ୍ପର୍କରେ ପରବର୍ତ୍ତୀ ଶୁଣାଣି ହେବା ଯାଏ ସ୍ଥଗିତାଦେଶ ଜାରି ରହିବ। ଆସନ୍ତା ୪ ସପ୍ତାହ ମଧ୍ୟରେ ପରବର୍ତ୍ତୀ ଶୁଣାଣି ହେବ।

ଦେଶରେ ମୁସଲିମମାନଙ୍କ ପୀଠଗୁଡିକ ଉପରେ ହିନ୍ଦୁମାନଙ୍କ ଅଧିକାର ସାବ୍ୟସ୍ତ ପ୍ରସଙ୍ଗରେ ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ହିନ୍ଦୁ ପକ୍ଷର ଦାବି ଥିଲା ମୋଗଲ ରାଜତ୍ବ ସମୟରେ ଅନେକ ମନ୍ଦିରକୁ ଭାଙ୍ଗି ସେଠାରେ ମସଜିଦ ନିର୍ମିତ ହୋଇଥିଲା । ଏହା ସହ ଧାର୍ମିକ ପୀଠସ୍ଥଳୀ ଆଇନକୁ ନିମ୍ନକୋର୍ଟ ଅବମାନନା କରୁଥିବା ନେଇ ବି ପିଟିସନରେ ଉଲ୍ଲେଖ ରହିଥିଲା । ଏହି ଆଇନରେ ସ୍ବାଧୀନତା ପରେ କୌଣସି ପୀଠସ୍ଥଳୀକୁ ଅନ୍ୟ ରୂପ ଦିଆଯିବା ଉପରେ କଟକଣା ଲଗାଯାଇଛି । ଏହି ଆଇନକୁ ରଦ୍ଦ କରିବା ଲାଗି ହୋଇଥିବା ଆବେଦନକୁ ସିଜେଆଇ ସଞ୍ଜୀବ ଖନ୍ନା, ଜଷ୍ଟିସ ସଞ୍ଜୟ କୁମାର ଓ ଜଷ୍ଟିସ କେ. ଭି. ବିଶ୍ବନାଥନ ମାମଲାର ଶୁଣାଣି କରିଥିଲେ ।

ପୂର୍ବରୁ ଅଯୋଧ୍ୟା ବିଦାଦର ରାୟ ଦେବାବେଳେ ଏହି ଆଇନକୁ ଯଥାର୍ଥ କହିଥିଲେ ୫ ଜଣିଆ ଖଣ୍ଡପୀଠ । ସମ୍ବିଧାନର ମୂଳ ଲକ୍ଷ୍ୟ ରକ୍ଷା ଦିଗରେ ଏହି ଆଇନ ଉଦ୍ଦିଷ୍ଟ ବୋଲି ଖଣ୍ଡପୀଠ କହିଥିଲେ । ଇତିହାସକୁ ପରିବର୍ତ୍ତନ କରିବା ଲାଗି କାହାର ଅଧିକାର ନାହିଁ ବୋଲି କହିଥିଲେ ଖଣ୍ଡପୀଠ । ଅଯୋଧ୍ଯା ରାୟ ପରେ ଏହି ଆଇନ ବିରୋଧରେ ସୁପ୍ରିମକୋର୍ଟରେ ବହୁ ପିଟିସନ ଦାୟର ହୋଇଥିଲା । ବିଜେପିର ଅଶ୍ବିନୀ ଉପାଧ୍ଯାୟ, ସୁବ୍ରମଣ୍ଯମ ସ୍ବାମୀ ଓ ଅନ୍ଯ ହିନ୍ଦୁ ସଂଗଠନ ପକ୍ଷରୁ ଏହି ପିଟିସନ ଦାୟର ହୋଇଥିଲା । କାଶୀ, ମଥୁରା, ଜ୍ଞାନବାପି, ସମ୍ଭଲର ଶାହି ଜାମା ମସଜିଦ, ଆଜମେରର ସୁଫି ସାଧୁ ଖ୍ବାଜା ମୌଇନୁଦ୍ଦିନ ଚିସ୍ତି ମସଜିଦକୁ ନେଇ ବିବାଦ ଲାଗି ରହିଛି।

ନଜର ପକାନ୍ତୁ