ହେଟ ସ୍ପିଚ ମାମଲାରେ ଅଭିଯୁକ୍ତଙ୍କ ଧର୍ମ ନଦେଖି ତୁରନ୍ତ ମାମଲା ରୁଜୁ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ବଢୁଥିବା ହେଟ ସ୍ପିଚକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ । କୌଣସି ରାଜ୍ୟରେ ହେଟ ସ୍ପିଚ ହେଉଥିଲେ ଅଭିଯୋଗ ନହେଲେ ମଧ୍ୟ ରାଜ୍ୟ ସରକାର ନିଜ ଆଡୁ ମାମଲା ରୁଜୁ କରିବେ । ଧାର୍ଯ୍ୟ ସମୟ ମଧ୍ୟରେ ଯଦି କୌଣସି ପଦକ୍ଷେପ ନ ନିଆଗଲା ତାହେଲେ ଏହାକୁ କୋର୍ଟଙ୍କ ଅବମାନନା ବୋଲି ଗ୍ରହଣ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଦେଶର ସବୁ ରାଜ୍ୟକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ହେଟ ସ୍ପିଚ ଧର୍ମନିରପେକ୍ଷ ଦେଶକୁ ଗଭୀର କ୍ଷତି ପହଞ୍ଚାଉଛି ।

ପୂର୍ବରୁ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡକୁ ସୁପ୍ରିମକୋର୍ଟ ଏଭଳି ନୋଟିସ ଦେଇଥିଲେ । ପୂର୍ବରୁ ମହାରାଷ୍ଟ୍ରରେ ହେଟ ସ୍ପିଚକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ କୋର୍ଟ । ଏଭଳି ଘଟଣାକୁ ହାଲୁକା ଭାବେ ନ ନେବାକୁ କୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି । ହେଟସ୍ପିଚ ଦେଉଥିବା ଲୋକ ଯେଉଁ ଧର୍ମର ହେଉଥାନ୍ତୁ ନା କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର । ଏଥିସହ ସୋସିଆଲ ମିଡିଆରୁ ସେମାନଙ୍କ ଭାଷଣକୁ ଡିଲିଟ କରିବା ନେଇ ବ୍ୟବସ୍ଥା ହେବା ଦରକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଆବେଦନକାରୀ ଶୁଣାଣି ବେଳେ ହେଟ ସ୍ପିଚ ମାମଲାର ତଦାରଖ କରିବା ପାଇଁ ପ୍ରତି ରାଜ୍ୟରେ ଜଣେ ନୋଡାଲ ଅଫିସର ନିଯୁକ୍ତି ପାଇଁ ଆବେଦନ କରିଥିଲେ । କିନ୍ତୁ ପ୍ରତି ରାଜ୍ୟ ପିଛା ନୁହେଁ ବରଂ ପ୍ରତି ଜିଲ୍ଲା ପିଛା ନୋଡାଲ ଅଫିସର ରହିବା ଦରକାର ବୋଲି କହିଥିଲେ ସୁପ୍ରିମକୋର୍ଟ । ବିଚାରପତି କେ.ଏମ ଜୋସେଫ ଏବଂ ବିଭି ନାଗାରଥନାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ହେଟସ୍ପିଚ ଦେଇଥିବା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ବିଭିନ୍ନ ବ୍ୟକ୍ତିଙ୍କ ବିରୋଧରେ ଆବେଦନକାରୀ ମାମଲା ରୁଜୁ କରିଥିଲେ । ଆସନ୍ତା ମେ ୧୨ ତାରିଖରେ କୋର୍ଟ ମାମଲାର ଶୁଣାଣି କରିବେ ।