ଲଖିମପୁର ହିଂସା: ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ଲଖିମପୁର ଖେରି ହିଂସାକୁ ନେଇ ସୁପ୍ରମିକୋର୍ଟ ୟୁପି ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ମାମଲାର ଷ୍ଟାଟସ୍ ରିପୋର୍ଟ ଦାଖଲରେ ବିଳମ୍ବକୁ ନେଇ କୋର୍ଟ କଟୁ ସମାଲୋଚନା କରିବା ସହ ମାମଲାର ତଦନ୍ତରୁ ୟୁପି ସରକାର ପଛକୁ ହଟୁଥିବା କହିଛନ୍ତି । ଏହାସହ ଷ୍ଟାଟସ ରିପୋର୍ଟ ଦାଖଲକୁ ନେଇ ମଧ୍ୟ କୋର୍ଟ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ଆଜି ସରକାର କୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲେ । ରିପୋର୍ଟ ଦାଖଲରେ ବିଳମ୍ବକୁ ନେଇ ସିଜେଆଇ ଜଷ୍ଟିସ ଏନଭି ରମଣା ସରକାରଙ୍କୁ ଭର୍ତ୍ସନା କରିଥିଲେ । କହିଥିଲେ, ଗତକାଲି ରାତି ଗୋଟାଏ ପର୍ଯ୍ୟନ୍ତ ଆମେ ଷ୍ଟାଟସ ରିପୋର୍ଟକୁ ଅପେକ୍ଷା କରିଥିଲୁ, ତୁମେ ଆଜି ହାଖଲ କରୁଛ । ଗତ ଶୁଣାଣି ବେଳେ ସ୍ପଷ୍ଟ ଭାବେ କୁହାଯାଇଥିଲା, ଅତିକମରେ ଗୋଟିଏ ଦିନ ପୂର୍ବରୁ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ।

ସରକାରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ପରବର୍ତ୍ତି ଶୁଣାଣି ଶୁକ୍ରବାରକୁ ରଖିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ । ଯାହାକୁ କୋର୍ଟ ସିଧାସଳଖ ଖାରଜ କରିବା ସହ ସେହିଠାରେ ହିଁ ଷ୍ଟାଟସ ରିପୋର୍ଟ ପଢ଼ିବା ଆରମ୍ଭ କରିଛନ୍ତି ।

ମାମଲାରେ ଗିରଫଦାରୀକୁ ନେଇ କୋର୍ଟ ସରକାରଙ୍କୁ ପ୍ରଶ୍ନବାଣରେ ପୋତି ପକାଇଥିଲେ । ୪ ଅଭିଯୁକ୍ତ ପୋଲିସ ହେପାଜତରେ ଥିବା ବେଳେ ବାକି ଅଭିଯୁକ୍ତ କାହିଁକି ବିଚାର ବିଭାଗୀୟ ହାଜତରେ ଅଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ଏହାସହ ସେମାନଙ୍କୁ ପଚରାଉଚରାର ଆବଶ୍ୟକତା ନାହିଁ କି ବୋଲି କୋର୍ଟ ପଚାରିଥିଲେ । ୪ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ଅନ୍ୟମାନଙ୍କର କାହିଁକି କରାଯାଇନି ବୋଲି ମଧ୍ୟ କୋର୍ଟ ପ୍ରଶ୍ନ କରିଥିଲେ ।

ସାକ୍ଷୀ ଓ ପୀଡ଼ିତଙ୍କୁ ୧୬୪ ଧାରାରେ ଶୀଘ୍ର ବୟାନ ରେକର୍ଡ କରିବା ସହ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଉ ବୋଲି କୋର୍ଟ କହିଥିଲେ ।

କୋର୍ଟଙ୍କ ପ୍ରଶ୍ନ ଉତ୍ତରରେ ହରିଶ ସାଲଭେ କହିଥିଲେ, ଅଭିଯୁକ୍ତମାନଙ୍କୁ ପଚରାଉଚରା ସରିଛି । ମାମଲାକୁ ନେଇ ୭୦ରୁ ଅଧିକ ଭିଡିଓ ମିଳିଛି । ଏହାର ତଦନ୍ତ ଚାଲିଛି । ଏଥିରୁ ବହୁତ ପ୍ରମାଣ ମିଳିଛି । କ୍ରାଇମ ସିନ ବି ରିକ୍ରିଏଟ କରାଯାଇଛି । ପୀଡ଼ିତ ଓ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି । ଦଶହରା ଛୁଟି କାରଣରୁ କୋର୍ଟରେ ଦାଖଲ କରାଯାଇପାରିନି ।

ଏହାସହ ମାମଲାର ପରବର୍ତ୍ତ ଶୁଣାଣି ଅକ୍ଟୋବର ୨୬ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ ।

Leave a Reply