ଚାକିରି ଲାଗି ଟଙ୍କା ମାମଲା: ସେନ୍ଥିଲ ବାଲାଜୀଙ୍କୁ ସୁପ୍ରିମକୋର୍ଟରୁ ଜାମିନ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଚାକିରି ଲାଗି ଟଙ୍କା ଦୁର୍ନୀତି ମାମଲା । ପୂର୍ବତନ ତାମିଲନାଡୁ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ । ଜଷ୍ଟିସ ଏଏସ ଓକା ଓ ଜଷ୍ଟିସ ଏଜି ମସିଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ସେନ୍ଥିଲଙ୍କୁ ଜାମିନ ଦେଇଛନ୍ତି । ଚାକିରି ଲାଗି ଟଙ୍କା ଦୁର୍ନୀତିରେ ଗତବର୍ଷ ଜୁନ ମାସରେ ବାଲାଜୀ ସେନ୍ଥିଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେନ୍ଥିଲଙ୍କୁ ଏକାଧିକ ସର୍ତ୍ତରେ କୋର୍ଟ ଜାମିନ ଦେଇଥିବା ସୂଚନା ମିଳିଛି ।

ଗତ ଫେବୃଆରୀ ୨୮ରେ ସେନ୍ଥିଲଙ୍କ ଜାମିନକୁ ମାଡ୍ରାସ ହାଇକୋର୍ଟ ରଦ୍ଦ କରିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଗତ ଅଗଷ୍ଟ ୧୨ରେ ଜାମିନ ନେଇ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ମାମଲାରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଇଡି ପକ୍ଷରୁ ପ୍ରତିନିଧିତ୍ବ କରୁଥିବାବେଳେ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଓ ସିଦ୍ଧାର୍ଥ ଲୁଥ୍ରା ସେନ୍ଥିଲଙ୍କ ପକ୍ଷରୁ ଲଢୁଥିଲେ ।

ଜାମିନ ଅଗ୍ରାହ୍ୟ କରିବା ବେଳେ ହାଇକୋର୍ଟ କହିଥିଲେ, ଯଦି ଏହି ମାମଲାରେ ସେନ୍ଥିଲଙ୍କୁ ଜାମିନ ମିଳେ ତେବେ ବିଚାର ବିଭାଗ ପକ୍ଷରୁ ଏକ ଭୁଲ ବାର୍ତ୍ତା ଦିଆଗଲା ବୋଲି ସୂଚନା ମିଳିଥାନ୍ତା । ପୂର୍ବତନ ଏଆଇଏଡିଏମକେ ସରକାରରେ ସେନ୍ଥିଲ ପରିବହନ ମନ୍ତ୍ରୀ ଥିବାବେଳେ ବସ୍ କଣ୍ଡକ୍ଟର, ଡ୍ରାଇଭର ଓ ଜୁନିୟର ଇଞ୍ଜିନିୟର ନିଯୁକ୍ତିରେ ବ୍ଯାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଗତବର୍ଷ ଅଗଷ୍ଟ ୧୨ରେ ଇଡି ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ।