ଉତ୍ତେଜକ ଭାଷଣ ମାମଲାରେ ଆଜି କାର୍ଯ୍ୟାନୁଷ୍ଠାନ !

ନୂଆଦିଲ୍ଲୀ: ହରିଦ୍ବାର ଓ ଦିଲ୍ଲୀରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ବିରୋଧରେ ଉତ୍ତେଜିତ ଭାଷଣ ଦେବା ମାମଲାରେ ଆଜି ସୁପ୍ରିମକୋର୍ଟ ନେଇପାରନ୍ତି କାର୍ଯ୍ୟାନୁଷ୍ଠାନ । ନିଜ ଆଡୁ ମାମଲାର ବିଚାର କରି କାର୍ଯ୍ୟାନୁଷ୍ଠାନ ନେବାକୁ ସୁପ୍ରିମକୋର୍ଟର ୭୬ ଜଣ ଓକିଲ ପ୍ରଧାନ ବିଚାରପତି ଏନଭି ରମଣାଙ୍କୁ ଚିଠି ଲେଖିଛନ୍ତି  ।

ଡିସେମ୍ବର ୧୭ ଏବଂ ୧୯ରେ ସଂଖ୍ୟାଲଘୁଙ୍କୁ ନେଇ ଉତ୍ତେଜକ ଭାଷଣ ଦିଆଯାଇଥିବା ଅଭିଯୋଗ ହୋଇଛି । ଦିଲ୍ଲୀରେ ହିନ୍ଦୁ ଯୁବ ବାହିନୀ ଏବଂ ହରିଦ୍ବାରରେ ଜାତି ନରସିଂହ ନନ୍ଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଆତ୍ମ ଘୋଷିତ ସନ୍ଥମାନେ ବିବାଦୀୟ ଭାଷଣ ଦେଇଥିଲେ । ସଂଖ୍ୟାଲଘୁ ଗୋଷ୍ଠୀଙ୍କୁ ହତ୍ୟା କରିବା ପାଇଁ ସିଧାସଳଖ ଲୋକଙ୍କୁ ଉଷୁକାଇ ଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଶେଷର ସୁପ୍ରିମକୋର୍ଟଙ୍କ ଓକିଲମାନେ ଭାଷଣ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଛନ୍ତି ।

ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ୧୨୦ ବି, ୧୨୧ ଏ, ୧୨୪ ଏ, ୧୫୩ଏ, ୧୫୩ବି, ୨୯୫ଏ, ୨୯୮ ଧାରାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଓକିଲ । ଏଭଳି ଉତ୍ତେଜକ ଭାଷଣ ଦ୍ବାରା ଦେଶର ଏକତା, ସ୍ବାର୍ବଭୌମତ୍ବ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଉତ୍ତେଜକ ଭାଷଣ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଲେ ସ୍ଥିତି ଆଗକୁ ଭୟାନକ ହୋଇପାରେ । ଯାହା ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି ସୁପ୍ରିମକୋର୍ଟ ଓକିଲ  ।

Leave a Reply