ସମଲିଙ୍ଗୀ ବିବାହକୁ ମିଳିପାରିବ ନାହିଁ ଆଇନଗତ ମଞ୍ଜୁରୀ : ସୁପ୍ରିମକୋର୍ଟ
1 min readନନ୍ଦିଘୋଷ ବ୍ୟୁରୋ: ସମଲିଙ୍ଗୀ ବିବାହ ବିବାଦର ଅନ୍ତ । ସମଲିଙ୍ଗୀ ବିବାହକୁ ମିଳିପାରିବ ନାହିଁ ଆଇନଗତ ମଞ୍ଜୁରୀ । ଗତ ୨୦୨୩ ଅକ୍ଟୋବର ୧୭ରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି ଖଣ୍ଡପୀଠ । ସୁପ୍ରିମକୋର୍ଟ ଦେଇଥିବା ପୂର୍ବ ରାୟର ପୁନଃସମୀକ୍ଷା କରିବା ଲାଗି ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ଖଣ୍ଡପୀଠ । ଜଷ୍ଟିସ ବି.ଆର. ଗଭାଇ, ସୂର୍ଯ୍ୟକାନ୍ତ, ବି.ଭି. ନାଗରତ୍ନା, ପିଏସ ନରସିହ୍ମା ଓ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁପ୍ରିମକୋର୍ଟଙ୍କ ଅତୀତ ରାୟକୁ ଯଥାର୍ଥ ବୋଲି କହିବା ସହ ଏହି ମାମଲାର ଖୋଲା ଶୁଣାଣି କରିବା ଲାଗି ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ।
୨୦୨୩ ରାୟରେ ୫ ଜଣିଆ ଖଣ୍ଡପୀଠରୁ ୩ ଜଣ ଅର୍ଥାତ ଜଷ୍ଟିସ ରବୀନ୍ଦର ଭଟ୍ଟ, ହିମା କୋହଲି ଓ ପି.ଏସ ନରସିହ୍ମା ସମଲିଙ୍ଗୀ ବିବାହକୁ ବିରୋଧ କରିଥିବାବେଳେ ୨ ଜଣ ଅର୍ଥାତ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଓ ସଞ୍ଜୟ କୌଲ ସମର୍ଥନ କରିଥିଲେ । ସମଲିଙ୍ଗୀ ବିବାହ ଓ ସେହି ଦମ୍ପତି ପୋଷ୍ୟସନ୍ତାନ ଗ୍ରହଣ କରିବା ଏକ ସାମ୍ବିଧାନିକ ଅଧିକାର ବୋଲି ଏହି ଦୁଇ ଜଣ ମତ ଦେଇଥିଲେ । ସମଲିଙ୍ଗୀ ବିବାହ ଏକ ସାମ୍ବିଧାନିକ ଅଧିକାର ଦର୍ଶାଇ ସୁପ୍ରିମକୋର୍ଟରେ କେତେକ ପିଟିସନ ଦାୟର ହୋଇଥିଲା । ଗତ ଜୁଲାଇ ୨୦୨୪ରେ ପୂର୍ବରୁ ଗଠିତ ଖଣ୍ଡପୀଠରୁ ଜଷ୍ଟିସ ସଞ୍ଜୀବ ଖାନ୍ନା ଓହରିଯିବା ପରେ ନୂଆ ଖଣ୍ଡପୀଠ ଗଠିତ ହୋଇଥିଲା ।
ପିଟିସନରକାରୀମାନେ କହିଥିଲେ- ୨୦୧୮ରେ ନବତେଜ ସିଂ ଜୋହର ବନାମ କେନ୍ଦ୍ର ସରକାର ଏବଂ ୨୦୧୪ରେ ନଲସା ବନାମ କେନ୍ଦ୍ର ସରକାର ମାମଲାରେ ଏଲଜିବିଟିକ୍ୟୁଆଇଏ ସମ୍ପର୍କରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁସାରେ ଏହି ମାମଲାର ପୁନର୍ବିଚାର କରାଯାଉ । ନବତେଜ ସିଂ ମାମଲାରେ ସୁପ୍ରିମକୋର୍ଟ ଦୁଇ ଜଣ ବୟସ୍କଙ୍କ ସହମତିଭିତ୍ତିକ ଯୌନ ସମ୍ପର୍କ ଅପରାଧ ନୁହେଁ ବୋଲି କହିଥିଲେ । ସେହିପରି ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ ବା ନାଲସା ମାମଲାରେ ସୁପ୍ରିମକୋର୍ଟ କହିଥିଲେ- ଟ୍ରାନ୍ସଜେଣ୍ଡରମାନେ ହେଉଛନ୍ତି ତୃତୀୟ ଲିଙ୍ଗୀ ଏବଂ ଲିଙ୍ଗଗତ ସମାନତା ଓ ଆତ୍ମସମ୍ମାନ ସେମାନଙ୍କ ମୌଳିକ ଅଧିକାର ।