ଜାରି ରହିବ EWS ସଂରକ୍ଷଣ, ନିଷ୍ପତ୍ତି ବିରୋଧରେ ଦାଖଲ ଯାଚିକା ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ଦେଶରେ ଶିକ୍ଷା ଏବଂ ସରକାରୀ ଚାକିରିରେ ଆର୍ଥିକ ଭାବରେ ଦୁର୍ବଳ ବର୍ଗ (ଇଡବ୍ଲୁଏସ)ଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଜାରି ରହିବ । ସୁପ୍ରିମକୋର୍ଟ ୧୦୩ତମ ସାମ୍ବିଧାନିକ ସଂଶୋଧନର ବୈଧତାକୁ ବଳବତ୍ତର ରଖୁଥିବା ସାମ୍ବିଧାନିକ ପୀଠର ନିଷ୍ପତ୍ତି ବିରୋଧରେ ଦାଖଲ ସମୀକ୍ଷା ପିଟିସନକୁ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଦିନେଶ ମାହେଶ୍ୱରୀ, ଜଷ୍ଟିସ ଏସ୍ ରବୀନ୍ଦ୍ର ଭଟ୍ଟ, ଜଷ୍ଟିସ ବେଲା ଏମ ତ୍ରିବେଦୀ ଏବଂ ଜେବି ପାରିଦୱାଲାଙ୍କ ୫ ଜଜ ବିଶିଷ୍ଟ ସାମ୍ବିଧାନିକ ଖଣ୍ଡ ଆଜି ଏହି ରାୟ ଶୁଣାଇଛନ୍ତି ।

ସୁପ୍ରିମକୋର୍ଟ ଗତ ବର୍ଷ ନଭେମ୍ବରରେ ଆର୍ଥିକ ଭାବେ କମଜୋର ବର୍ଗଙ୍କ ପାଇଁ ଚାକିରି ଏବଂ ଶିକ୍ଷାରେ ୧୦ ପ୍ରତିଶତର ସାମ୍ବିଧାନିକ ବୈଧତାକୁ ବଳବତ୍ତର ରଖିଥିଲେ । ଭାରତର ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତଙ୍କ ନେତୃତ୍ୱାଧୀନ ପାଞ୍ଚ ଜଜ୍ ବିଶିଷ୍ଟ ସାମ୍ବିଧାନିକ ପୀଠ ବହୁମତ ସହ ଏହି ରାୟ ଶୁଣାଇଥିଲେ । ଏଥିରେ କୁହାଯାଇଥିଲା ଯେ ଏହା ସମ୍ବିଧାନର ମୂଳ ଢାଞ୍ଚାର ଉଲ୍ଲଂଘନ କରୁନାହିଁ । ପ୍ରକାଶଥାଉକି, ଜଷ୍ଟିସ ଲଲିତ ବର୍ତ୍ତମାନ ରିଟାୟାର ହୋଇସାରିଛନ୍ତି, ଏଥିପାଇଁ ସମୀକ୍ଷା ପୀଠର ନେତୃତ୍ୱ ବର୍ତ୍ତମାନର ପ୍ରଧାନବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ କରିଥିଲେ ।