ମୁକେଶ ଜୈନଙ୍କ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Supreme Court Directs To Attach Immovable Property Of Mukesh Jain

ନୂଆଦିଲ୍ଲୀ: ବାଜ୍ୟାପ୍ତ ହେବ ମୁକେଶ ଜୈନଙ୍କ ଅସ୍ଥାବର ସମ୍ପତ୍ତି । ଏନେଇ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଆତ୍ମଘୋଷିତ ଧର୍ମଗୁରୁ ମୁକେଶ ଜୈନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ନିଯୁକ୍ତି ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ଆବେଦନ କରିଥିଲେ । ତେବେ ୨୦୧୭ରେ ତାଙ୍କ ଆବେଦନକୁ ପବ୍ଲିସିଟି ଷ୍ଟଣ୍ଟ ଦର୍ଶାଇ ଖାରଜ କରି ଦେଇଥିଲେ ସୁପ୍ରିମକୋର୍ଟ । ଏଥିସହ ପ୍ରତ୍ୟେକ ଆବେଦନକାରୀଙ୍କୁ କୋର୍ଟ ୧୦ ଲକ୍ଷ ଟଙ୍କା ଲେଖାଏ ଜରିମାନା କରିଥିଲେ ।

ଏହି ମାମଲାର ଶୁଣାଣି ମେ ୬ ତାରିଖରେ ହେବାର ଥିଲା । କାରଣ ସମସ୍ତ ପକ୍ଷ ଏଯାଏ ଜରିମାନା ଅର୍ଥ ଦାଖଲ କରି ନାହାନ୍ତି । ମୁକେଶ ଜୈନଙ୍କ ଓକିଲ ଏପି ସିଂହ ଖଣ୍ଡପୀଠକୁ ସ୍ୱାମୀ ଓମଙ୍କ ମୃତ୍ୟୁ ହୋଇଥିବା ଅବଗତ କରାଇଛନ୍ତି । ଏଥିସହ ବକେୟା ଖଜଣା ଆଦାୟ ପାଇଁ ନିର୍ଦ୍ଦେଶ ଥିବାବେଳେ ସେ କଟକ ସ୍ଥାନାନ୍ତରିତ ହୋଇ ଯାଇଛନ୍ତି । ଏଥିସହ ଜୈନଙ୍କ ବିରୋଧରେ ୪ଟି ଅପରାଧିକ ମାମଲା ହୋଇଥିବା ଏପି ସିଂ କୋର୍ଟଙ୍କୁ ଜଣାଇଛନ୍ତି ।

ସୁପ୍ରିମକୋର୍ଟ ଏପି ସିଂଙ୍କ ପକ୍ଷ ଶୁଣିବା ପରେ ଦିଲ୍ଲୀରେ ମୁକେଶ ଜୈନଙ୍କ ଥିବା ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ତାଙ୍କ ବିରୋଧରେ ଜାରି କରିଛନ୍ତି ୱାରେଣ୍ଟ । କଟକ ଟ୍ରାଏଲ୍ କୋର୍ଟ ମାଧ୍ୟମରେ ଆଦେଶନାମା ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରୀଷ୍ମ ଅବକାଶ ପରେ ସୁପ୍ରିମକୋର୍ଟରେ ମାମଲାର ପୁନଃ ଶୁଣାଣି କରାଯିବ ।