ଆଇନଗତ ଯୁଦ୍ଧରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନଙ୍କ ପିଟିଆଇର ବିଜୟ

1 min read

ଇସଲାମବାଦ : ଆଇନଗତ ଯୁଦ୍ଧରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କ ପାକିସ୍ତାନ ତେହରିକ-ଇ-ଇନସାଫ ପାର୍ଟିର ବିଜୟ । ସଂସଦରେ ମହିଳା ଓ ସଂଖ୍ଯାଲଘୁଙ୍କ ଲାଗି ସଂରକ୍ଷିତ ଥିବା ୨୦ରୁ ଅଧିକ ଆସନ ପିଟିଆଇ ଲାଗି ପ୍ରଯୁଜ୍ଯ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ପାକିସ୍ତାନ ନିର୍ବାଚନ କମିଶନ ମୁଖ୍ଯଙ୍କ ଇସ୍ତଫା ଦାବି କରୁଥିବ ଇମରାନଙ୍କ ଲାଗି ଏହା ଏକ ବିଜୟ ସାବ୍ଯସ୍ତ ହୋଇଛି ।

ଗତ ଫେବ୍ରୁଆରୀ ୮ ନିର୍ବାଚନରେ ନିର୍ବାଚନ କମିଶନ ପକ୍ଷରୁ ପିଟିଆଇର ନିର୍ବାଚନ ସଙ୍କେତ ପ୍ରତ୍ଯାହାର କରାଯିବା ପରେ ପିଟିଆଇର ପ୍ରାର୍ଥୀମାନେ ସ୍ବାଧୀନ ଭାବେ ଲଢିବା ସହ ସୁନ୍ନି ଇତେହାଦ କାଉନସିଲ ବା ଏସଆଇସିରେ ସାମିଲ ହୋଇଥିଲେ । ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ବିରୋଧରେ ଏସଆଇସି ପେଶଓ୍ବାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ମାତ୍ର କୋର୍ଟ ପକ୍ଷରୁ କମିଶନଙ୍କ ଆଦେଶକୁ କାଏମ ରଖାଯାଇଥିଲା ।

ପ୍ରଧାନବିଚାରପତି କାଜି ଫଏଜ ଇସାଙ୍କୁ ନେଇ ଗଠିତ ୧୩ଜଣିଆ ଖଣ୍ଡପୀଠଙ୍କ ଏହି ରାୟ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନେତୃତ୍ବାଧୀନ ମେଣ୍ଟ ସରକାର ପ୍ରତି ଚାଲେଞ୍ଜ ସୃଷ୍ଟି କରିଛି । ଖଣ୍ଡପୀଠ କହିଛନ୍ତି ନିର୍ବାଚନ କମିଶନ ସାମ୍ବିଧାନିକ କର୍ତ୍ତବ୍ଯ ନିର୍ବାହ କରିବା ଉଚିତ । ଏକ ରାଜନୈିତିକ ଦଳର ଆଇନଗତ ଅଧିକାରର ସୁରକ୍ଷା ପ୍ରତି କମିଶନ ଦୃଷ୍ଟି ଦେବା ଜରୁରୀ । ଦେଶରେ ୨୫କୋଟି ଲୋକଙ୍କ ଲାଗି ଏକ ଖୁସିର ଦିନ ବୋଲି କହିଛନ୍ତି ପିଟିଆଇ ମୁଖ୍ୟ ଗୋହର ଖାଁ । ସୁପ୍ରିମକୋର୍ଟଙ୍କ ରାୟ ପରେ ନ୍ଯାସନାଲ ଆସେମ୍ବ୍ଲିରେ ପିଟିଆଇର ସଦସ୍ଯ ସଂଖ୍ଯା ୮୬ରୁ ୧୦୯କୁ ବୃଦ୍ଧି ପାଇବ । ୩୩୬ ଆସନ ବିଶିଷ୍ଟ ନ୍ଯାସନାଲ ଆସେମ୍ବ୍ଲିରେ ସରକାରୀ ଦଳର ସାଂସଦ ସଂଖ୍ଯା ଅଛନ୍ତି ୧୪୧ । ସେଥିରେ ଅଛନ୍ତି ପିଏମଏଲଏନର ୧୦୮, ଏମକ୍ଯୁଏମ-ପିର ୨୧ ଓ ପିଏମଏଲ-କ୍ଯୁର ୫ ସଦସ୍ଯ ଅଛନ୍ତି । ସରକାରକୁ ସମର୍ଥନ କରୁଛି ୬୮ ସଦସ୍ଯବିଶିଷ୍ଟ ପିପିପି ।