ହେଟ୍‌ ସ୍ପିଚକୁ ନେଇ ବର୍ଷିଲେ ସୁପ୍ରିମକୋର୍ଟ,କହିଲେ- ଦେଶରେ ମୁକ୍ତ ଓ ସନ୍ତୁଳିତ ଗଣମାଧ୍ୟମ ଆବଶ୍ୟକ

1 min read

ନୂଆଦିଲ୍ଲୀ: ବିଦ୍ବେଷମୂଳକ ଟିପ୍ପଣୀ ବା ହେଟ୍ ସ୍ପିଚ୍ ସମ୍ପୂର୍ଣ୍ଣ ବିପଜ୍ଜନକ । ଟେଲିଭିଜନ ନ୍ୟୁଜରେ ଏହା ଉପରେ ନିୟନ୍ତ୍ରଣର ଅଭାବ ରହିଛି । ଦେଶରେ ମୁକ୍ତ ଓ ସନ୍ତୁଳିତ ଗଣମାଧ୍ୟମ ଆବଶ୍ୟକ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତ କହିଛନ୍ତି ବର୍ତ୍ତମାନ ଟିଆରପି ଦୌଡ଼ ଚାଲିଛି ଏବଂ ଟିଆରପି ଲାଗି ପରସ୍ପର ସହ ଚ୍ୟାନେଲଗୁଡ଼ିକ ପ୍ରତିଯୋଗିତା କରୁଛନ୍ତି । ଏହା ଦ୍ବାରା ସମାଜରେ ଏକ ବିଭାଜନ ସୃଷ୍ଟି ହେଉଛି । ଯଦି ଜଣେ ଆଙ୍କର ହେଟ୍ ସ୍ପିଚ ପ୍ରସାରଣ କରନ୍ତି ତେବେ ତାଙ୍କୁ କାହିଁକି ଅଫ ଏୟାର କରାଯିବ ନାହିଁ ବୋଲି କହିଛନ୍ତି କୋର୍ଟ । ପ୍ରିଣ୍ଟ ମିଡିଆ ଲାଗି ପ୍ରେସ କାଉନସିଲ ଅଫ ଇଣ୍ଡିଆ ରହିଥିବାବେଳେ ନ୍ୟୁଜ ଚ୍ୟାନେଲଗୁଡ଼ିକ ଲାଗି ସେପରି କିଛି ନାହିଁ । ଯେ କୌଣସି ପରିସ୍ଥିତିରେ ନିରପେକ୍ଷ ଟିପ୍ପଣୀ ଆବଶ୍ୟକ ବୋଲି କୋର୍ଟ କହିଛନ୍ତି ।

ଦେଶରେ ହେଟ ସ୍ପିଚ୍ ନେଇ ଦାୟର କେତେକ ପିଟିସନର ଏକତ୍ର ଶୁଣାଣି କରିବା ଅବସରରେ ଜଷ୍ଟିସ କେ.ଏମ. ଯୋଶେଫ ଓ ଜଷ୍ଟିସ ବି.ଭି. ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି- ବିଦ୍ବେଷମୂଳକ ଟିପ୍ପଣୀ ସମ୍ପୂର୍ଣ୍ଣ ବିପଜ୍ଜନକ । ଏହା ବନ୍ଦ ହେବା ଆବଶ୍ୟକ । ମିଡିଆ ଟ୍ରାଏଲ ଆଦୌ ଗ୍ରହଣୀୟ ନୁହେଁ । ନ୍ୟୁଜ କଭରେଜ ଜରିଆରେ ଟିଆରପି ନିରୂପିତ ହେଉଥିବାରୁ ଟିଭି ଚ୍ୟାନେଲଗୁଡିକ ପରସ୍ପର ସହ ପ୍ରତିଯୋଗିତା କରୁଛନ୍ତି । ଚ୍ୟାନେଲରେ ପ୍ରସାରିତ ହେଉଥିବା ଭିଜୁଆଲ କଣ୍ଟେଣ୍ଟ କାରଣରୁ ସାମାଜିକ ବିଭାଜନ ସୃଷ୍ଟି ହେଉଛି । ଏହି ଧରଣର କଣ୍ଟେଣ୍ଟ ଦେଖିବା କ୍ଷେତ୍ରରେ ଦର୍ଶକମାନେ ବୌଦ୍ଧିକ ଭାବେ ସମୃଦ୍ଧ ହୋଇ ନଥାନ୍ତି ।

ଅନେକ ସମୟରେ ଆଙ୍କରମାନେ ଲାଇଭ ଡିବେଟ ସମୟରେ ଆଲୋଚ୍ୟ ବିଷୟଗୁଡିକ ପ୍ରସଙ୍ଗରେ ନିଜକୁ ଅନ୍ତର୍ଭୁକ୍ତ କରିଦେଇଥାନ୍ତି । ସେମାନେ ପ୍ୟାନେଲରେ ବସିଥିବା ଆଲୋଚକଙ୍କୁ ଚୁପ୍ କରାଇବାକୁ ଚାହିଁଥାନ୍ତି କିମ୍ବା ତାଙ୍କୁ କିଛି କହିବା ଲାଗି ସୁଯୋଗ ଦେଇନଥାନ୍ତି । ଟିଭି ଚ୍ୟାନେଲଗୁଡିକ ପ୍ରୋଗ୍ରାମିଂ କୋଡ ଉଲ୍ଲଂଘନ କରି ହେଟ୍ ସ୍ପିଚ ପ୍ରସାରଣ କରିବାକୁ ଆଗଭର ହୋଇଥାନ୍ତି । ଦେଶରେ ମୁକ୍ତ ଓ ସନ୍ତୁଳିତ ପ୍ରେସ ସମସ୍ତେ ଚାହାଁନ୍ତି । ନ୍ୟୁଜ ଆଙ୍କର କିମ୍ବା ସେମାନଙ୍କ ମ୍ୟାନେଜମେଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ଏହାର ସମାଧାନ ହୋଇପାରିବ ବୋଲି କହିଛନ୍ତି ଜଷ୍ଟିସ ଯୋଶେଫ ।