ବୁଲଡୋଜର ଶାସନକୁ ନେଇ ସୁପ୍ରିମକୋର୍ଟଙ୍କ କେନ୍ଦ୍ରକୁ ଭର୍ତ୍ସନା; କହିଲେ- ଅପରାଧୀଙ୍କ ଘର ଭାଙ୍ଗିବା ବେଆଇନ

ନୂଆଦିଲ୍ଲୀ: ଜନସାଧାରଣଙ୍କ ସୁରକ୍ଷା ପ୍ରଥମ । ଭାରତ ଏକ ଧର୍ମନିରପେକ୍ଷ ଦେଶ । ଜବରଦଖଲ ଉଚ୍ଛେଦ ବେଳେ କାହାରି ଧର୍ମକୁ ଦେଖାଯିବ ନାହିଁ । ତେବେ କିଏ ଯଦି ଅପରାଧ କଲା, ତାର ଘର ଦ୍ଵାର ଭାଙ୍ଗିବା ବେଆଇନ । ବୁଲଡୋଜର ଆକ୍ସନ ଉପରେ ଏମିତି କହିଛନ୍ତି ସୁପ୍ରିମକୋର୍ଟ ।

ଦିଲ୍ଲୀର କିଛି ଅଭିଯୁକ୍ତଙ୍କ ଘର ଭଙ୍ଗାଯିବାରୁ ନ୍ୟାୟ ପାଇଁ ସେମାନେ ସୁପ୍ରିମକୋର୍ଟକୁ ଯାଇଥିଲେ । ସୁପ୍ରିମକୋର୍ଟ ଆଜି ସ୍ପଷ୍ଟ ଭାବେ କହିଛନ୍ତି, ଜଣେ ଯେତେ ବଡ଼ ଅପରାଧ କରିଥାଉ ପଛେ, ତାର ଘରଦ୍ଵାର ଭଙ୍ଗାଯାଇପାରିବ ନାହିଁ । ଦିନକ ଆଗରୁ ନାମକୁ ମାତ୍ର ନୋଟିସ୍ ଦେଇ ଘର ଭାଙ୍ଗିବା ଠିକ୍ ନୁହେଁ ।

ଧାର୍ମିକ ପୀଠକୁ ନେଇ ମଧ୍ୟ ସର୍ବୋଚ୍ଚ ଅଦାଲତ ତାଙ୍କ ରାୟ ଶୁଣାଇଛନ୍ତି । ଏଥିରେ କୋର୍ଟ କହିଛନ୍ତି, ଯଦି ଜବରଦଖଲ କରି କୌଣସି ଧାର୍ମିକ ପୀଠ କରାଯାଇଥାଏ । ଏହା ଯଦି ଜନସାଧାରଣଙ୍କ ପ୍ରତି ବିପଦ ସୃଷ୍ଟି କରେ ତେବେ କାହାର ଧର୍ମକୁ ନ ଦେଖି ତାକୁ ଉଚ୍ଛେଦ କରାଯିବ । କିନ୍ତୁ ଜବରଦଖଲ ଉଚ୍ଛେଦ ନାଁରେ କାହାର ଘର ଦ୍ଵାର ଭଙ୍ଗା ଯାଇପାରିବନି ।

ସୁପ୍ରିମକୋର୍ଟଙ୍କ ବିନା ଅନୁମତିରେ କୌଣସି ଅଭିଯୁକ୍ତର ଘର ନ ଭାଙ୍ଗିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସାରା ଦେଶରେ ଏପରି କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥଗିତାଦେଶ ଜାରି କରାଯାଇଛି । ଆସାମ ସରକାର ଜଣେ ଅଭିଯୁକ୍ତଙ୍କ ଘର ଉଚ୍ଛେଦ କରିବାରୁ ଗତକାଲି ଅଦାଲତ ଅବମାନନା ନୋଟିସ ଜାରି କରାଯାଇଥିଲା ।