ଦେବାଳିଆ ହେଲା ସୁପରଟେକ୍ ଲିମିଟେଡ୍, ଚିନ୍ତାରେ ୨୫ ହଜାରରୁ ଅଧିକ ଗ୍ରାହକ

Supertech Limited Declared Bankrupt 25000 Home Buyers In Panic

ନୂଆଦିଲ୍ଲୀ: ସୁପରଟେକ୍ ଲିମିଟେଡ୍ ପାଇଁ ବଢ଼ିଲା ଅଡ଼ୁଆ । ପ୍ରଥମେ ନିୟମ ଉଲ୍ଲଂଘନ ପାଇଁ ନୋଏଡ଼ାରେ ଥିବା ସୁପଟେକ୍ ଏମେରାଲ୍ଡ କୋର୍ଟ ପ୍ରକଳ୍ପର ୪୦ ମହଲା ବିଶିଷ୍ଟ ୨ଟି ଟାୱାରକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏବେ ଜାତୀୟ କମ୍ପାନୀ ଆଇନ୍ କର୍ତ୍ତୃପକ୍ଷ ଶୁକ୍ରବାର ସୁପରଟେକ୍ ଲିମିଟେଡକୁ ଦେବାଳିଆ ଘୋଷଣା କରିବା ସହ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଏକ ଆବେଦନର ଶୁଣାଣି କରି ଏନସିଏଲଟି ସୁପରଟେକ୍ ଲିମିଟେଡ ନିର୍ଦ୍ଦେଶକ ମଣ୍ଡଳଙ୍କ ସ୍ଥାନରେ ଜଣେ ଆଇଆରପି ନିଯୁକ୍ତି ପାଇଁ ଅନୁମୋଦନ ଦେଇଛନ୍ତି । ହିତେଶ ଗୋଏଲଙ୍କୁ ଆଇଆରପି ନିଯୁକ୍ତ କରାଯାଇଛି । ସୁପରଟେକ୍ ଲିମିଟେଡ୍ ଉପରେ ପ୍ରାୟ ୧୨୦୦ କୋଟି ଟଙ୍କା ବକେୟା ରହିଛି । ଏଥିରୁ ପ୍ରାୟ ୫୧୦ କୋଟି ଟଙ୍କା ଋଣ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦେଇଥିଲା ।

ସୁପରଟେକକୁ ଦେବାଳିଆ ଘୋଷଣା କରିବା ପରେ କମ୍ପାନୀର ଅସମ୍ପୂର୍ଣ୍ଣ ପ୍ରକଳ୍ପରେ ଘର କିଣିଥିବା ଗ୍ରାହକଙ୍କ ଚିନ୍ତା ବଢ଼ି ଯାଇଛି । ଘର କିଣିଥିବା ଲୋକଙ୍କ ମନରେ ଡର ଏବେ କଣ ହେବ ? କିଣିଥିବା ଫ୍ଲାଟ୍ ମିଳିବ ତ ? ନା ଘର ପାଇଁ ଦେଇଥିବା ଟଙ୍କା ବୁଡ଼ିଯିବ ? ଯଦି ଟଙ୍କା ବୁଡ଼ିବନି ତ ଘର କେବେ ମିଳିବ ? ଠିକ୍ ସମୟରେ ମିଳିବ ନା ବିଳମ୍ବ ହେବ ? ଏମିତି ଅନେକ ପ୍ରଶ୍ନ ଘେରରେ ସୁପରଟେକ୍ ଗ୍ରାହକ ।

ଆଗକୁ କଣ ହେବ ?

  • ଆଇଆରପି କ୍ରେଡିଟର୍ସଙ୍କ ଏକ କମିଟି ଗଢ଼ିବ ।
  • କମିଟି ଘର କିଣିଥିବା ଲୋକଙ୍କୁ ଠାରୁ ଆବେଦନ ମାଗିବ । ଯାହାପରେ ଆଲୋଟମେଣ୍ଟ ଲେଟର ସହ ପରିଚୟପତ୍ର ଜମା କରିବାକୁ ପଡ଼ିବ ।
  • ଯାଞ୍ଚ ପରେ ଆବେଦନକୁ ଗ୍ରହଣ କରାଯାଇ ଭୋଟିଂ ସ୍ଥିର ହେବ ।
  • ଏହାଛଡ଼ ସୁପରଟେକକୁ ଅଧିଗ୍ରହଣ ପାଇଁ ଆଇଆରପି ଆବେଦନ ଗ୍ରହଣ କରିବ ।
  • ଏଥିସହ ଋଣ ଟଙ୍କା କେଉଁଠି ଖର୍ଚ୍ଚ ହୋଇଛି ତାର ଖୋଳତାଡ଼ କରାଯିବ ।