ଗୁଣିଗାରେଡ଼ି ସନ୍ଦେହରେ ୩ଜଣଙ୍କୁ ହତ୍ୟା: ମୃତଦେହକୁ ନଦୀରେ ଫିଙ୍ଗିଦେଲେ ଲୋକେ

ଅନୁଗୁଳ: ଅନ୍ଧବିଶ୍ୱାସର କରୁଣ ପରିଣତି । ଗୁଣିଗାରେଡି ସନ୍ଦେହରେ ୩ ଜଣଙ୍କୁ ହତ୍ୟା କରି ନଦୀରେ ଫିଙ୍ଗିଦେଲେ ଗାଁ ଲୋକେ । ୪ ଦିନ ପରେ ମୃତଦେହ ଉଦ୍ଧାର କରି ଘଟଣାର ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ଘଟଣାଟି ଘଟିଛି ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଖମାର ଥାନା କୁଞ୍ଜମ ଗ୍ରାମରେ । ଗତ ୩୦ତରିଖ ଦିନ ଗାଁର ଢିପାସାହି ସ୍ଥିତ ବୁଧୁ ଚାତାର ଏବଂ ମୁନି ଚାତାରଙ୍କ ଘରକୁ ତାଙ୍କ ସମ୍ପର୍କୀୟ ମୋତେଇ ଗାଗରାଇ କୌଣସି କାମରେ ଆସିଥିବାବେଳେ ଗାଁର କିଛି ଯୁବକ ଘରେ ପଶି ଅତର୍କିତ ଆକ୍ରମଣ କରିଥିଲେ । ପରେ ସେମାନଙ୍କୁ ଜଙ୍ଗଲ ଆଡକୁ ନେଇଯାଇଥିବା ବୁଧୁଙ୍କ ସ୍ତ୍ରୀ ଖମାର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ଗତ ୧ ତାରିଖରେ ବୁଧୁଙ୍କ ମୃତଦେହ ଗାଁ ଠାରୁ ୫ କିମି ଦୂର ସମାକୋଇ ନଦୀ କୁଳରୁ ଉଦ୍ଧାର କରିଥିଲା । ଆଜି ମୋତେଇଙ୍କ ମୃତଦେହ ସମଲ ଥାନା ଗହମ ଗ୍ରାମ ନିକଟ ନଦୀ ପଠାରୁ ଉଦ୍ଧାର କରିଛି ପୋଲିସ । ତେବେ ମୁନି ଚାତାରଙ୍କ ଏ ପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ । ଘଟଣାରେ ପୋଲିସ ଗ୍ରାମର ଦୁଇଜଣ ନାବାଳକଙ୍କ ସହ ମୋଟ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରାଥମିକ ତଦନ୍ତରୁ ଏହା ଗୁଣିଗାରେଡି ଜନିତ ହତ୍ୟା ବୋଲି କହିଛି ପୋଲିସ୍ । ଗ୍ରାମର ଜଣେ ଯୁବକଙ୍କ କିଛିଦିନ ତଳେ ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା । ବୁଧୁ ଏବଂ ମୁନି ଗୁଣିଗାରେଡି କରି ତାଙ୍କୁ ମାରିଥିବା ଲୋକେ ସନ୍ଦେହ କରିଥିଲେ ।

ଏଥିସହିତ ପଢ଼ନ୍ତୁ: କୁବେର ପିଏସ୍ ବିରଞ୍ଚି ସାହୁ ନିଲମ୍ୱିତ

Leave a Reply