ଆରକ୍ଷୀ ଅଧୀକ୍ଷକ ପଦ ଖାଲି, ଢେଙ୍କାନାଳ ଜିଲ୍ଲାରେ ବଢ଼ୁଛି ଅପରାଧ

ଢେଙ୍କାନାଳ: ମୁରବୀ ନଥିବାରୁ ଢେଙ୍କାନାଳ ଜିଲ୍ଲାରେ ଅସହାୟ ପୋଲିସ । ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ ଓ ଅପରାଧୀଙ୍କ ସଂଖ୍ୟା । ମହିଳା ବିରୋଧୀ ହିଂସାଠାରୁ ଆରମ୍ଭ କରି ଡକାୟତି ଓ ଲୁଟ୍ ଖୁଲମଖୁଲା ଚାଲିଛି । ମାସେରୁ ଅଧିକ ସମୟ ହେଲା ଏସ୍ପି ନାହାନ୍ତି । ପୋଲିସ ସବୁ ଦେଖିବି ଅଣଦେଖା କରୁଥିବାରୁ ଅସମାଜିକ ଲୋକଙ୍କ ପ୍ରାଧାନ୍ୟ ବଢ଼ି ଚାଲିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।
ଢେଙ୍କାନାଳ ପୋଲିସର ବିଫଳତା । ବଢୁଛି ଅପରାଧ, ମାତିଛନ୍ତି ଅପରାଧୀ । ଶୀର୍ଷରେ ଚୋରି, ଡକାୟତି ଓ ନାରୀ ନିର୍ଯାତନା । ଆଉ ଧଳାଜହର କାରବାରର ନୂଆ ପେଣ୍ଠସ୍ଥଳୀ ପାଲଟଛି ଢେଙ୍କାନାଳ ଜିଲ୍ଲା । ଦୀର୍ଘ ଏକ ମାସ ହେଲା ଏସ୍ପିଙ୍କ ବଦଳି ହେବା ପରେ ଏବେ ଜିଲ୍ଲା ପୋଲିସ ଭଗବାନଙ୍କ ଭରସାରେ ଚାଲିଛି । ଫଳରେ ପ୍ରତ୍ୟେକ ଦିନ କିଛି କିଛି ଅପରାଧ ଘଟୁଛି । ଯାହାକୁ ରୋକିବାରେ ପୋଲିସ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ ।
କିଛି ବର୍ଷ ହେଲା ଢେଙ୍କାନାଳ ଜିଲ୍ଲାରେ ମହିଳା ହିଂସା ବଢିଛି । ସେହିପରି ଡକାୟତି, ରାହାଜାନି, ଲୁଟପାଟ୍ ମଧ୍ୟ ବଢିବାରେ ଲାଗିଛି । ସବଠୁ ସ୍ପର୍ଶକାତର କଥା ହେଲା, ବ୍ରାଉନ୍ସୁଗର କାରବାରର ଚରାଭୂଇଁ ପାଲଟିଛି ଢେଙ୍କାନଳ ସହର । ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି କଲେଜ ଛାତ୍ର ସମସ୍ତଙ୍କୁ ଗ୍ରାସିଛି ଏହି ନିଶା । ଫଳରେ ଅଣାୟତ୍ତ ହେବାରେ ଲାଗିଛି ଆଇନ୍ ବ୍ୟବସ୍ଥା । ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି । ତେବେ ଖୁବଶୀଘ୍ର ଜିଲ୍ଲାରେ ଏସ୍ପିଙ୍କୁ ନିଯୁକ୍ତି କରାଯିବ ବୋଲି ଢେଙ୍କାନାଳ ବିଧାୟକ କହିଛନ୍ତି ।